ମୁଁ ଝିଅ ଟିଏ - ବାସନ୍ତୀ ଲତା ଜେନା

ପିତା ମାତା କୋଳେ ଝିଅଟିଏ ମୁହିଁ

      ଅଗଣା ତୁଳସୀ ପରି 

ସ୍ନେହ ଶରଧାରେ ବାନ୍ଧି ରଖି ଥାଏ 

         ସଭିଙ୍କୁ ନିଜର କରି     l୧l

ରୁଣୁ ଝୁଣୁ ଚାଲି ଗୁଲୁ ଗୁଲୁ କଥା 

        ସବୁରି ଓଠର ହସ       

ମୋତେ ଦେଖି ମାତା ଦୁଃଖ ଭୁଲି ଯାଏ 

      ଗେହ୍ଲ କରଇ ଅଶେଷ     l୨l

ବାପାଙ୍କର ପରା ଗେହ୍ଲା ଝିଅ ମୁହିଁ 

        ଜେଜେମା ନୟନ ଜ୍ୟୋତି 

ବଡ଼ ଭାଇଙ୍କର ସେନେହର ଡୋର 

       ଜେଜେଙ୍କର ଟିକି ମୋତି     l୩l

ବିଦ୍ୟାଳୟ ଗଲି ସାଙ୍ଗ ସାଥି ହେଲି 

      ପାଠରେ ଲାଗିଲା ମନ 

ଗୁରୁଜୀ ଗୁରୁମା ବିଦ୍ୟା ଶିକ୍ଷା ଦ୍ୟ'ନ୍ତି 

     ସୁଚରିତ୍ର ନୀତି ଜ୍ଞାନ        l୪l

ସାଙ୍ଗ ସାଥି ମେଳେ କୁଆଁର ପୁନେଇଁ 

       ଖୁଦୁରୁକୁଣୀ ପୂଜନ 

ପଞ୍ଚୁକ ପୁନେଇଁ ରଜ ଦୋଳି ଗୀତ

        ହରିଛି ସଭିଙ୍କ ମନ      l୫l

ସେନେହ ଆଦର ସୁଶୀଳତା ଗୁଣ   

        ଭକ୍ତି ମଧୁର ବଚନ 

ଅତିଥି ଦେବଙ୍କୁ ସନମାନ ଦିଏ

     ଖୁଆଏ ଅନ୍ନ ବ୍ୟଞ୍ଜନ       l୬l

ଦୁହିତା ମୋ ନାମ ଦୁଇ କୁଳ ହିତା 

      ସଦା ଥାଏ ମନେ ମୋର 

ବାପ ଘର ଆଉ ଶାଶୁ ଘର ମଧ୍ୟେ 

      ସମାନତା ରଖେ ତାର     l୭l 

ଦୁହିତା ଭଗିନୀ ଜାୟା ଓ ଜନନୀ 

      ଚାରି ଗୋଟି ରୂପ ମୋର 

ସବୁ ସମ୍ପର୍କକୁ ଯୋଡି ରଖି ଥାଏ 

       କାହାକୁ ନ କରେ ପର     l୮l

ଦୁଃଖ କଷ୍ଟ ସବୁ ନିଜେ ସହି ନିଏ 

      ସାହସ ଧଇର୍ଯ୍ୟ ଧରି 

ସର୍ବଂସାହା ନାରୀ ବସୁମତୀ ଛବି 

        ମନ ମୋ କୁସୁମ ପରି    l୯l

ଶକ୍ତି ପ୍ରଦାୟିନୀ ସୁଜନ କାରିଣୀ 

        ମମତା ମୟୀ ଜନନୀ 

ସନ୍ତାନ ବତ୍ସଳା କରୁଣା ଦାୟିନୀ 

       ଗୃହ ଲଷ୍ମୀ ସ୍ୱରୂପିଣୀ   l୧୦l

ନାରୀ ନାରାୟଣୀ ଅନ୍ନପୂର୍ଣା ରୂପ 

      ସାହିତ୍ୟ କଳା ବିଜ୍ଞାନ 

ଦେଶ ଶାସନରେ ଅଗ୍ରଣୀ ମୁଁ  ପରା 

         ଆବିଷ୍କାର ଉଦ୍ଭାବନ     l୧୧l

ଘରକୁ ସମ୍ଭାଳେ ଅଫିସ  ଚଳାଏ 

      ଏକ ହାତେ ବହୁ କାମ 

ଦୁର୍ଗାଙ୍କ ସ୍ୱରୂପ ଝିଅଟିଏ ମୁଁ ଯେ 

     ମର୍ତ୍ତ୍ୟ ହୁଏ ସ୍ୱର୍ଗ ଧାମ        l୧୨l

ଶୃଙ୍ଖଳା ସଂଯମେ ନୀତି ଚାଲେ ମୁଁ ଯେ 

       ମଧୁର ବଚନ କହି 

ଦକ୍ଷତାରେ ଭରା ମର୍ତ୍ତ୍ୟର ରମଣୀ 

     ସେବା ଯତ୍ନ କରୁ ଥାଇ     l୧୩l


 ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments