ନାରୀ ଯେଉଁଠାରେ ପୂଜା ପାଉଥାଏ
ତୋଷନ୍ତି ସର୍ବ ଦେବତା
ନାରୀକୁ ଯେ ଜନ ସମ୍ମାନ ଦିଅଇ
ସହାୟ ତା'କୁ ବିଧାତା।
କାହାର ଜନନୀ କାହାର ଭଗିନୀ
କାହାର ପୁଣି ସେ ଜାୟା
ଏ ତିନି ରୁପରେ ସଂସାର ଉତ୍ପନ୍ନ
ଦେଖାଇଛି କେତେ ମାୟା।
ଅନଳ ମଧ୍ଯରୁ ଜାତ ହୋଇଥିଲେ
ଆଦ୍ଯାଶକ୍ତି ମାହେଶ୍ବରୀ
ପ୍ରକୃତି ପ୍ରତୀକ ଧାରଣ କରି ସେ
ବୋଲାଉଛି ପରା ନାରୀ।
ମାତୃ ରୁପେ ନାରୀ ଜନମ ଦାୟିନୀ
କେତେ ଯେ ସହନଶୀଳା
ପଣତ କାନିରେ ଘୋଡେ଼ଇ ରଖିଛି
ନୁହଁଇ କଦା ଦୁର୍ବଳା।
ଭଗିନୀ ରୂପରେ ବାନ୍ଧିଛି ସମ୍ପର୍କ
ଭାତୃତ୍ବର ଭାବ ରଖି
ଯୁଗେଯୁଗେ ନାରୀ ମହାନ୍ ବୋଲାଏ
ଭାଇ ହାତେ ବାନ୍ଧି ରାକ୍ଷୀ।
ଛାଡ଼ି ବାପଘର ଯାଏ ଶାଶୂଘର
ପରକୁ ଆପଣା କରେ
ଜାୟା ରୁପେ ନାରୀ ସଂସାର ଗଢ଼ଇ
ସ୍ଥାନ ତା' ସରଗ ପୁରେ।
ପରକୁ ଆପଣା କରିପାରେ ନାରୀ
ପାଇଅଛି ଏହି ଶିକ୍ଷା
ଶତ ଶତାବ୍ଦୀର କୋହ ଚାପି ରଖେ
ଏହି ତା'ର ମହାଦୀକ୍ଷା।
ଯେତେଦୁଃଖଯେତେ ଯନ୍ତ୍ରଣାଆସିଲେ
ସବୁକୁ ସେ ଯାଏ ସହି
ପୃଥିବୀର ସମ ବଡ଼ ଧୈର୍ଯ୍ଯବତୀ
କାହାକୁ ପାରେନା କହି।
ସଫଳ ପୁରୁଷ ପଛରେ ରହିଛି
ନାରୀର ପ୍ରଚ୍ଛନ୍ନ ହାତ
ନାରୀ ଅସମ୍ମାନ ଘଟିଛି ଯେଠାରେ
ହୋଇଅଛି ରକ୍ତପାତ।
ନାରୀ ଆଜି କେବେ ଦୁର୍ବଳା ନୁହଁଇ
ପିନ୍ଧି ବିଜୟର ଟୀକା
ହିମାଳୟ ଲଙ୍ଘି ମହାକାଶେ ଘୂରେ
ମନରେ ନଥାଏ ଶଂକା।
ବାର୍ଦ୍ଧକ୍ୟର କାଳେ ପୁଅ ପଚାରେନା
ଝିଅ ଆସିକରେ ସେବା
ନାରୀଙ୍କ ସମ୍ମାନ ଆମରି ସମ୍ମାନ
ସଭିଏଁ ଶପଥ ନେବା।
କାଳୀ କପାଳିନୀ ଦୂର୍ଗା ରୁପ ଧରି
ନାଶିବ ଦୁର୍ମତି ସ୍କନ୍ଧ
ସେହିଦିନ ଶାନ୍ତି ହେବ ବିରାଜିତ
ହୋଇବେ ରାକ୍ଷସ ବଧ।
ଶଙ୍ଖମୂଳ, ରଣପୁର
ଜିଲ୍ଲା, ନୟାଗଡ




0 Comments