ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମ ଉତ୍କଳ ପ୍ରଦେଶ l ଆରାଧ୍ୟ ଦେବତା ବଡ଼ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ l ତାଙ୍କର ନୀତି କାନ୍ତିକୁ ଧରି ଓଡ଼ିଶାର ବାରମାସରେ ତେର ପର୍ବ ପାଳିତ ହୁଏ l ରାତି ପାହିଲେ ଅକ୍ଷୟ ତୃତୀୟା l ସନିଆର ବାପା ମା ଙ୍କର ଆନନ୍ଦ କହିଲେ ନ ସରେ l ସନିଆର ବାପା ରଘୁଆ ହାଟକୁ ଯାଇ ନୂଆ ଗଉଣି, ନୂଆ ବୋଝ କିଣି ଆଣିଛନ୍ତି l ନିଜ ପାଇଁ ଧୋତି ଗାମୁଛା କିଣିଛନ୍ତି l ଆସନ୍ତା କାଲିକୁ ଧାନ ଅନୁକୂଳ ହେବ l ଜମିରେ ଅକ୍ଷିମୁଠି ବୁଣାଯିବ l ମା ଲଷ୍ମୀଙ୍କୁ ସ୍ୱାମୀ ସ୍ତ୍ରୀ ଦ୍ଵିଜଣ ଯାକ ବାରବାର ଡାକୁଛନ୍ତି l ମା ଗୋ ଏ ବର୍ଷ ଯେମିତି ଫସଲ ଭଲ ହେଉ l ରାତ୍ରିରେ ଖିଆ ପିଆ ସାରି ସନିଆ, ରଘୁଆ, ରତନୀ ଓ ରଘୁଆର ମା ଶୁକୁରି ଶୋଇ ପଡିଲେ l ବଡି ଭୋରୁ ରତନୀ ଉଠି ଦାଣ୍ଡ ଦୁଆରରେ ଗୋମୟ ପାଣି ଛାଟିଲା l ଘର ଦ୍ୱlର ଲିପା ପୋଛା କଲା l ଶୌଚ ସାରି ତରତରରେ ଗାଧୋଇ ପଡିଲା l ଅରୁଆ ଚାଉଳ ବାଟି ବୋଝ, ଗଉଣୀକୁ ଝୋଟି ଚିତାରେ ସଜାଇଲା l ଦlଣ୍ଡ ଦୁଆରରେ ଝୋଟି ଦେଲା l ସେଠାରେ କଳସ ଗୋଟିଏ ବସାଇଲା l କଳସ ତଳେ ଧାନ କିଛି ରଖିଲା l ଆମ୍ବ ଡାଳ ତା ଉପରେ ଥୋଇଲା l ଦୁବ, ବରକୋଳି ପତ୍ର ଓ ଫୁଲ ରଖି କଳସରେ ସଜାଇଲା l ଧୂପ ଦୀପ, ଚନ୍ଦନ, ସିନ୍ଦୂର ସବୁ ରଖିଲା l ବୋଝରେ ଧାନ ରଖି ହଳଦୀ, ଚନ୍ଦନ, ସିନ୍ଦୂର ଲଗlଇ ଦେଲା l ଗଉଣିରେ ଚକୁଳି ପିଠା କ୍ଷିରୀ କରି ରଖିଲା l ଏହି ସମୟରେ ରଘୁଆ ଗାଧୋଇ ନୂଆ ଲୁଗା ପିନ୍ଧି ସେଠାକୁ ଆସିଲା l ରଘୁଆ ମହାଲଷ୍ମୀଙ୍କୁ ଭୋଗ ଲଗାଇଲା l ରଘୁଆର ସ୍ତ୍ରୀ ରତନୀ ଶଙ୍ଖ ବଜାଉଥାଏ l ହୁଳହୁଳି ପକାଉଥାଏ l
ରଘୁଆ ଅକ୍ଷୀ ମୁଠି ବୁଣିବା ପାଇଁ ଧାନ ବୋଝ ଓ ଗଉଣି ଧରି ଜମିକୁ ବାହାରିଲା l ସାଙ୍ଗରେ ତାର ପୁଅ ସନିଆ ଗଲା ହଳ ଲଙ୍ଗଳ ନେଇ l ଜମି ପାଖରେ ପହଂଚି ରଘୁଆ ଜମିର ପୂର୍ବ ଦିଗରେ ଐଶାନ୍ୟ କୋଣରେ କିଛି ମାଟି ଖୋଳି ସେଠାରେ ଗୁଆ ଓ ଅକ୍ଷୀ ମୁଠି ବୁଣି ମାଟି ଘୋଡାଇ ଦେଲା l କ୍ଷିରୀ,ପିଠା ଥୋଇ ଭୋଗ ଲଗାଇଲା l ଧୂପ ଦୀପ ଜାଳିଲା l ମା ଲଷ୍ମୀଙ୍କୁ ଆରାଧନା କରି କହିଲା କୃପା କରିବୁ ଲୋ ମା,ଏ ବର୍ଷ ଯେପରି ଫସଲ ଭଲ ହେବ l ପେଟ ପାଟଣା କଥା l ଦୟା କରିବୁ ଲୋ ମା l ଏତିକି କହି ସାଷ୍ଟାଙ୍ଗ ପ୍ରଣିପାତ କଲା l
ତା ପରେ ଜମିରେ ମୁଠା ମୁଠା ଧାନ ଛାଟି ଜମିକୁ କର୍ଷଣ କଲା l ଦିନ ଦ୍ବିପ୍ରହରରେ ଅକ୍ଷୀ ମୁଠି ବୁଣି ରଘୁଆ ଘରକୁ ଫେରିଲା l ଖାଇ ପିଇ ଟିକେ ଦlଣ୍ଡ ପିଣ୍ଡାରେ ଶୋଇ ପଡିଲା l ଗଛ ଲତାର ସୁଲୁସୁଲୁ ପବନରେ ରଘୁଆକୁ ନିଦ ହୋଇଗଲା l ସନିଆର ଜେଜେମା ଦାଣ୍ଡ ପିଣ୍ଡାରେ ବସି ଆମ୍ବରୁ ଚୁପା ଛଡାଉ ଥିଲେ l ଆମ୍ବୁଲ କରିବା ପାଇଁ l ସନିଆ କହିଲା, ଜେଜେମା ଅକ୍ଷୀ ମୁଠି ତ ବାପା ବୁଣି ଦେଲେ l ଆଜି ଦିନକୁ ଅକ୍ଷିମୁଠି ଦିନ ନ କହି କାହିଁକି ଅକ୍ଷୟ ତୃତୀୟା କହନ୍ତି ? ଜେଜେମା ତାକୁ ବୁଝାଇ କହିଲେ ଅକ୍ଷୟ ମାନେ ଯାହାର କ୍ଷୟ ନାହିଁ l ତୃତୀୟା ମାନେ ନିତି l ଅର୍ଥାତ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କହନ୍ତି l ଏହି ଦିନ ଯେଉଁ କର୍ଯ୍ୟ କଲେ ସବୁ କାର୍ଯ୍ୟ ଶୁଭ ହୋଇ ଥାଏ l ଏହା ଓଡ଼ିଶାର କୃଷି ଭିତିକ ଗଣ ପର୍ବ l ପବିତ୍ର ଦିବସ l ସିଦ୍ଧିର ଦିବସ l ଆଜିର ଦିନରେ ପାଞ୍ଜି ଦେଖି ଶୁଭ ଦିନ ନିର୍ଣ୍ଣୟ କରିବା ଦରକାର ହୁଏ ନାହିଁ l ଅକ୍ଷୟ ତୃତୀୟରେ ଗୃହ ନିର୍ମାଣ, ଗୃହ ପ୍ରତିଷ୍ଠା, ବିବାହ, ଉପନୟନ ଯାହା କଲେ ସବୁ ଶୁଭ ହୁଏ l
ଜାଣିଛୁ ସନିଆ ! ଆଜି ଦିନରେ ମା ସୀତା ଜନ୍ମ ହୋଇ ଥିଲେ l ରାଜା ଜନକ ଜଣେ ରାଜା ହେଲେ ବି ସେ କୃଷି କାର୍ଯ୍ୟ କରୁ ଥିଲେ l ଅକ୍ଷୟ ତୃତୀୟା ଦିନ ସେ ଅକ୍ଷୀ ମୁଠି ବୁଣି ଜମିରେ ହଳ କରୁଥିବା ସମୟରେ ସୀତାଙ୍କୁ ମାଟି ତଳୁ ପାଇ ତାଙ୍କୁ ନିଜ ଝିଅ କରି ରଖି ଥିଲେ l ସୀତା ଭୂମିରୁ ଜନ୍ମ ହୋଇ ଥିବାରୁ ତାଙ୍କୁ ଭୂମିଜା ବୋଲି କହନ୍ତି l ସନିଆ କହିଲା ଆଉ କଣ ହୁଏ ଜେଜେମା ? ସୁକୁରି କହିଲା ଆଜି ଦିନରେ ବଳଦେବଙ୍କର ରୋହିଣୀ ସହିତ ବିବାହ ହୋଇ ଥିଲା l ଭଗବାନ ବିଷ୍ଣୁ ଷଷ୍ଠ ଅବତାରରେ ପର୍ଶୁରାମ ରୂପେ ଜନ୍ମ ନେଇ ଥିଲେ ପୃଥିବୀ ପୃଷ୍ଠରେ l ଆଜି ଦିନରେ ଜୟ ଦେବ ଜନ୍ମ ହୋଇଥିଲେ l ସେ ଗୀତ ଗୋବିନ୍ଦ ଲେଖି ଥିଲେ l ସେହି ଗୀତ ଶୁଣି ବଡ଼ ଠାକୁର ଶୋଉଥିଲେ l ଆଜି ଦିନରେ ବଡ଼ ଠାକୁରଙ୍କର ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ ହୁଏ l ଚନ୍ଦନ ଯାତ୍ରା ଆରମ୍ଭ ହୁଏ l ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜ ପ୍ରଭୁ ଚାପ ଖେଳନ୍ତି l ଅର୍ଥାତ ଜଳ କ୍ରୀଡା କରନ୍ତି l ଏ ସବୁ ଘଟିଥିଲା ସତ୍ୟ ଯୁଗ ଶେଷ ଓ ତ୍ରେତୟା ଯୁଗ ଆରମ୍ଭରେ l ସନିଆ କହିଲା, ଜେଜେମା ! ତୁମେ ଏତେ କଥା କେଉଁଠୁ ଜାଣିଲ ? ଜେଜେମା କହିଲେ ଏ ସବୁ ପୁରାଣରେ ଲେଖା ଅଛି l ତୁ ପଢିଲେ ବହୁତ କଥା ଜାଣି ପାରିବୁ ll
ବାସନ୍ତୀ ଲତା ଜେନା
ଗାନ୍ଧିନଗର,
ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର




0 Comments