ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ - ବାସନ୍ତୀ ଲତା ଜେନା


         




       ନାରୀ ଓ ପୁରୁଷ ସମାଜ ରୂପକ ଶଗଡ଼ରେ ଦୁଇଟି ଚକ  l ଗୋଟିଏକୁ ଛାଡି ଅନ୍ୟଟିର ସ୍ଥିତି ଶୂନ୍ୟ ହୋଇ ଯାଏ    l ଅର୍ଥାତ ଶଗଡ଼ସୁରୁଖୁରୁରେ ଚାଲି ପାରେ ନାହିଁ  l ନାରୀ ଓ ପୁରୁଷ ଦୁଇ ଜଣ ମିଶିଲେ ପୂର୍ଣ୍ଣାଙ୍ଗ ସ୍ତମ୍ଭ ସୃଷ୍ଟି ହୁଏ  l ମଜଭୁତ ଆଲୋକର ଜ୍ୟୋତି ସ୍ତମ୍ଭ  ହୁଏ  l ବେଦ କହେ ପ୍ରଜାପତି ବ୍ରହ୍ମା ନାରୀ ଓ ପୁରୁଷକୁ ଏକ ସଙ୍ଗରେ ସୃଷ୍ଟି କରି ଥିଲେ, ତାଙ୍କ ସଂସାର ରୂପକ ରଥକୁ ଆଗକୁ ନେଇ ଯିବା ପାଇଁ  l ପୁରୁଷ ଓ ନାରୀ କେହି କାହାଠାରୁ କମ ନୁହନ୍ତି  l ସମକକ୍ଷ ସେମାନେ  l ନୀତି ନିୟମ ଶୃଙ୍ଖଳାର ବନ୍ଧା ଜୀବନ  l ସ୍ନେହ, ଶ୍ରଦ୍ଧା,ପ୍ରେମ, ବାତ୍ସଲ୍ୟ ମମତା ଏସବୁକୁ ଏକତ୍ରୀ କରଣ କରିବା ପାଇଁ ସୃଷ୍ଟି ହୁଏ ନାରୀ ପୁରୁଷର ବିବାହ ବନ୍ଧନ  l ବ୍ରାହ୍ମଣଙ୍କର ମନ୍ତ୍ର ଧ୍ଵନି ହେଉ ବା ମନ୍ଦିର, ମସଜିଦ ହେଉ ବା ଅଦାଲତ ହେଉ ବିବାହ ବନ୍ଧନରେ ବାନ୍ଧି ହୋଇ ଦାମ୍ପତ୍ୟ ଜୀବନ ଆରମ୍ଭ କରନ୍ତି  l ପୁରୁଷ ଓ ନାରୀକୁ ମିଳେ ସାମାଜିକ ସ୍ୱୀକୃତି  l ଲଗାମଛଡା ଜୀବନ ହୁଏ ଶୃଙ୍ଖଳିତ   l ବିବାହ କଲେ ଟଣା ଯାଏ ସଂଯମର ସୀମା ରଖା   l ଦାମ୍ପତ୍ୟ ଜୀବନ ଏକ ସ୍ବର୍ଗୀୟ ସୁଧା   l ସେ ସୁଖ ପାଇବାକୁ ହେଲେ ପରସ୍ପର,ପରସ୍ପର ପ୍ରତି ସମର୍ପଣ ଭାବ ଦରକାର  l ତେବେ ଯାଇ ହେବ ପ୍ରେମ ପ୍ରଣୟର ସୁନା ସଂସାର  l
             ପୁରୁଷ ଯେପରି ସବୁ କାମ ପାଇଁ ଦକ୍ଷ  l ସେ ଘର ପରିବାର କଥା ବୁଝେ  l ପରିଶ୍ରମ କରି ଟଙ୍କା ରୋଜଗାର କରେ  l ସେହି ଟଙ୍କାରେ ଆବଶ୍ୟକୀୟ ଜିନିଷ କିଣି ଘରକୁ ଆଣେ  l ପିତା ମାତା ପିଲା ଛୁଆଙ୍କ ମୁଖରେ ଟିକେ ହସ ଦେଖିଦେଲେ ଖୁସିରେ ତା ଛାତି କୁଣ୍ଡେ ମୋଟ ହୋଇ ଯାଏ  l ପତ୍ନୀର ହସ,ପଦେ ମିଠା କଥା ତାର କ୍ଲାନ୍ତି ଦୂର କରିଦିଏ  l  ଠିକ ସେହିପରି ନାରୀ ସ୍ୱାମୀଙ୍କ ପ୍ରତି ଅନୁରକ୍ତ ହେବା ଦରକାର   l ପୁରୁଷ ଓ ନାରୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ  l ମୁଦ୍ରାର ଗୋଟିଏ ପଟ ଯଦି ସମତଳ ଥାଏ, ତେବେ ସେ ମୁଦ୍ରାଟି ଅଚଳ ହୋଇ ଯାଏ  l ତାର ମୂଲ୍ୟ ରହେ ନାହିଁ  l ଠିକ ସେହିପରି ନାରୀ ଓ ପୁରୁଷ ଅଙ୍ଗା ଅଙ୍ଗୀ ଭାବେ ଜଡିତ  l ନାରୀ ଓ ପୁରୁଷ ଏକତ୍ର ମିଶିଲେ ଗୋଟିଏ ନୂଆ ଜୀବନ ସୃଷ୍ଟି ହୁଏ  l ବଂଶ ରକ୍ଷା ହୁଏ  l  ସନ୍ତାନର ସୁଖ ମିଳେ  l
            ନାରୀ,ପୁରୁଷଙ୍କ ଠାରୁ ଓ ପୁରୁଷ,ନରୀଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ  l ଦୁହେଁ ସମାଜ ସେବା କରନ୍ତି, ଅଫିସ ଯାନ୍ତି, କଳା, ସାହିତ୍ୟ,ଦର୍ଶନ,ବିଜ୍ଞାନ, ଆବିଷ୍କାର, ଉଦ୍ଭାବନ, ବିଦ୍ୟାଳୟ, ନ୍ୟାୟାଳୟ, ପରିଚାଳନା କ୍ଷେତ୍ରରେ ଶିକ୍ଷିତା ନାରୀ ଗଣ ତୁଙ୍ଗ ପଦବୀରେ ଅଧିରୁଢା ହୋଇ  ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାଇ ପାରୁଛନ୍ତି  l ପୁରୁଷ ମାନଙ୍କ ପରି ନାରୀ ମାନଙ୍କର ମୌଳିକତା ଗୁଣର ଅଭାବ ନାହିଁ  l ତାର କର୍ତ୍ତବ୍ୟ ନିଷ୍ଠା, ସମସ୍ୟା ସମାଧାନ ରାଜନୀତି କୁଟନୀତି ଶୈଳୀ, ବିଚାରରେ ବିଜ୍ଞତା, କର୍ମ କ୍ଷେତ୍ରରେ ପୁରୁଷଙ୍କ ଭଳି କର୍ମ ତତ୍ପରତା ଦେଖାଯାଏ l ପ୍ରତ୍ୟେକ ଦୃଷ୍ଟିରୁ ପୁରୁଷ ଓ ନାରୀକୁ ବିଶ୍ଳେଷଣ କଲେ ଦେଖାଯାଏ, ଜଣେ ନାରୀ ଦକ୍ଷତାର ଗନ୍ତାଘର  l ସେ ଗୃହଲଷ୍ମୀ, ଅନ୍ନପୂର୍ଣ୍ଣା  l ସେ ଘର ଚଳାଏ  l ରାନ୍ଧି ବାଢି ପରିବାର ଲୋକଙ୍କୁ ଖାଇବାକୁ ଦିଏ l ପିଲାର ଯତ୍ନ ନିଏ  l ଶାଶୁ ଶଶୁରଙ୍କର ସେବା କରେ  l ପୁଣି ଅଫିସରେ କାମ କରେ  l ଦୁଇ ହାତରେ ତାର ବହୁ କାମ ହୁଏ l
       ନାରୀ ହେଉଛି ସୃଷ୍ଟିର ପ୍ରକୃତି  l ସେ ପୁରୁଷକୁ କର୍ମ ଚଞ୍ଚଳ କରାଏ l ଆବଶ୍ୟକ ପଡିଲେ ଉଚିତ ପରାମର୍ଶ ଦେଇ ସ୍ୱାମୀକୁ ସତ ପଥକୁ ଆଣେ  l ଠିକ ସେହିପରି ପୁରୁଷ ମଧ୍ୟ ପତ୍ନୀକୁ ସାହାଯ୍ୟ କରିଥାଏ l ଆବଶ୍ୟକ ବେଳେ ଆଶ୍ୱାସନା ଦେଇ ପତ୍ନୀର ମନବଳ ଦୃଢ଼ କରେ  l ସାହସ,ଶକ୍ତି ଓ ଧୈର୍ଯ୍ୟ ଦେଇ ଥାଏ  l ତେଣୁ ପୁରୁଷ ଓ ନାରୀ ଉଭୟ ପରସ୍ପର ପ୍ରତି ଉଭୟ ସମର୍ପଣ ଭାବ ରହିବା ଉଚିତ  l ପୁରୁଷ ବା ସ୍ୱାମୀ ନିଜ ପତ୍ନୀର ମନ କଥା ବୁଝି ଛୋଟ ଛୋଟ ଆବଶ୍ୟକତା ପୂରଣ କରିବା ଉଚିତ  l ନାରୀ ନିଜ ସ୍ୱାମୀଙ୍କୁ ଭକ୍ତି, ସ୍ନେହ, ଶ୍ରଦ୍ଧା, ପ୍ରେମରେ ବାନ୍ଧି ରଖିବା ଉଚିତ  l ତାଙ୍କର ମନ କଥା ବୁଝିବା ଉଚିତ l ଏହା ଦ୍ୱାରା ପ୍ରେମ ବଢେ  ଓ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ l ନାରୀ ଓ ପୁରୁଷ ଦୁଇଟି ଶରୀର ହେଲେ ମଧ୍ୟ ମନ ଓ ଆତ୍ମା ଏକ ହେଲେ ସଂସାରରେ ସବୁ ସମସ୍ୟା ଦୂର ହୋଇ ଯିବ  l ମନ ହେବ ଉତଫୁଲୀତ ଓ କର୍ମ ଚଞ୍ଚଳ  l ତେଣୁ ପ୍ରବନ୍ଧିକଙ୍କ ଭାଷାରେ :  -
       ନାରୀ ଓ ପୁରୁଷ ପୂରକ ଅଟନ୍ତି
       ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ
    ଦୁଃଖ ସୁଖ ଭରା ଜୀବନ ମଧ୍ୟରେ
         ସମର୍ପଣେ ଦୁହେଁ ହୁ'ନ୍ତି ହର୍ଷ  l


ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments