ଯନ୍ତ୍ର ଜୀବନ - ନନ୍ଦିନୀ ରାଉତ


ମନ୍ତ୍ର ହୀନ ତୁ ଯନ୍ତ୍ର ମାନବ
ଯାଇଛୁ କ୍ଲାନ୍ତ ହୋଇ
ପ୍ରାଣ ହୀନ ଯନ୍ତ୍ର ଦେବ କିରେ ଶାନ୍ତି
ବୁଝି ତୁ କି ପାରୁ ନାହିଁ..1

ଘୋର ଘର୍ଘର ଭୀମ ଗର୍ଜନ
ରୁଗଣ କରିଛି ତୋତେ
ବିଷମ କଷଣ ପାଉଛନ୍ତି ଆଜି
ସ୍ଥାବର ଜଙ୍ଗମ ଯେତେ...2

ହୃଦୟ ହୀନ ସେ ତା, ପ୍ରେମରେ ବାଇ
ଶିଳ୍ପ ସଭ୍ୟତା ପାଇଁ
ମାଟି ମାଆ ତୋର କାନ୍ଦୁଛି ରେ ଧନ
ତା, କୋଳକୁ ଯାଆ ଧାଇଁ..3

ସରଜୀ ଦେବ ସେ ତୋ ପାଇଁ ଅମୁଲ
ଦରବ ଭଣ୍ଡାର କେତେ
ଅମୃତ ସିଞ୍ଚିବ ପରାଣ ରେ ତୋର
ଶାନ୍ତି ପାଇବୁ କେତେ...4

ମନ୍ତ୍ରମୁଗ୍ଧ ତୁ ହୋଇବୁ ରେ ଧନ
ମାତା ର ପରସ ପାଇ
ନ ଥିବ ସେଠାରେ ଯନ୍ତ୍ରଣା, କ୍ରୁରତା
ପ୍ରେମ ପ୍ରୀତି ଥିବ ରହି...5

ଶାନ୍ତି ସୌଧ ରେ କରିବୁ ନିବାସ
କ୍ଷେତ କୁ ଦେଖ ତୁ ଯାଇ
ଯନ୍ତ୍ର ଠାରୁ ଯେତେ ଦୂରରେ ରହିବୁ
ଶାନ୍ତି ପାଇବୁ ରେ ଭାଇ..6

ସ୍ନେହ ଢାଳିଦେବ ଧରିତ୍ରୀ ମାତା ତୋ
ଯାହାର ବିଲୟ ନାହିଁ
କୋଳେଇନେବ ସେ ଭାବବିହ୍ଵଳ ରେ
ସବୁ କ୍ଲାନ୍ତି ଯିବ ଧୋଇ...7


ନନ୍ଦିନୀ ରାଉତ
 ଅନୁଗୋଳ

Post a Comment

0 Comments