ପ୍ରଭୁ ତୁମେ ବାମନ ହେଇକି ଆସ - ବୈଦ୍ୟନାଥ ପଣ୍ଡା


ଆଉଥରେ ପ୍ରଭୁ କୃପା କରି ତୁମେ 
           ମୋ ପାଇଁ ବାମନ ହେଇ ଆସ
ଛଅ ପାଦ ଭୁମି ମାଗିନିଅ ଆସି
        ମୋର ପାପ ତାପ ହେଉ ନାଶ 
ହେ ପ୍ରଭୁ ତୁମେ ବାମନ ହେଇକି ଆସ.. ll 
ବଳିରାଜା ଠାରୁ ତିନି ପାଦ ଭୂମି 
         ତୁମେ ମାଗିନେଲ ଛଳ କରି 
ଛଅ ପାଦ ଭୂମି ମାଗିନିଅ ମୋ ଠୁ 
         ମୁଁ କୃତାର୍ଥ ହେବି ଦେଇ ସାରି
ପୁରିଯିବ ସବୁ ମନସ୍କାମ ମୋର
     ଏଇ ଜୀବନ ହେବ ଉଲ୍ଲାସ
ହେ ପ୍ରଭୁ ତୁମେ ବାମନ............... ll
ଗୋଟିଏ ପାଦରେ ହରିନିଅ ପ୍ରଭୁ
        ଅଛି ଲୋଭ ଗୁଣ ଯେତେ ମୋର
କାମ କ୍ରୋଧ ମୋହ ଏ ତିନି ଗୁଣକୁ
         ତିନି ପାଦରେ ତୁମର ହର
 ମଦ ମାତ୍ସର୍ଯ୍ୟକୁ ହରିବା ପାଇଁକି 
         ଆଉ ଦୁଇ ପାଦ ନେଇ ଆସ
ହେ ପ୍ରଭୁ ତୁମେ ବାମନ ହେଇକି ଆସ..... ll
ଅକୁଣ୍ଠ ଚିତ୍ତରେ ସମର୍ପି ଦେବି ମୁଁ
         ପ୍ରଭୁ ସବୁ ତୁମ ପାଦ ତଳେ
ନର ଜନମରୁ ଉଦ୍ଧାର ପାଇବି
          ତୁମ ଅପାର କରୁଣା ବଳେ
ଧନ୍ୟ ହୋଇଯିବି ମୁକତି ଲଭିବି
        ତୁମ ବୈକୁଣ୍ଠରେ ଦେବ ବାସ
ହେ ପ୍ରଭୁ ତୁମେ ବାମନ ହେଇକି ଆସ...... ll


 ବୈଦ୍ୟନାଥ ପଣ୍ଡା
 ଅବଦଲ ପୁର. ଯାଜପୁର
 ଭ୍ରାମ୍ୟଭାଷ =9439854199

Post a Comment

0 Comments