ବେପଥ ଅନ୍ଧାର - କବି ଭାରତୀ ସରିତା ମହାନ୍ତି

ଜନ୍ମ ଆଉ ମୃତ୍ୟୁର ମଝିରେ ଏହି ଜୀବନ।ପ୍ରଚ୍ଛଦ ପଟ୍ଟରେ ଅଛନ୍ତି ଭାଗ୍ୟ ନିଅନ୍ତା ଭଗବାନ।ଗୋଟିଏ ଗର୍ଭରୁ ଜାତ ହୋଇ କିଏ ରାଜ ରାସ୍ତାରେ ଭିକାରୀ ତ ଆଉ କିଏ ରାଜ ମୁକୁଟ ପରିଧାନ କରି ରାଜ ସିଂହାସନରେ ବିଜେ ହୋଇ ଥାଏ।କିନ୍ତୁ ଶେଷରେ କାହାକୁ ବାଛ ବିଚାର ବା ଭେଦଭାବ ନକରି  ମଶାଣି ଆପଣେଇ ନିଏ ନିଜ କୋଳରେ । ଧନୀ ହେଉ ଅବା ଗରିବ,ସର୍ବ ଶେଷରେ ସମସ୍ତେ  ସେଇ ମୁଠାଏ ପାଇଁଶ।

                 ଏମିତି ଦୁଇ ସାଙ୍ଗ ମିହିର ଆଉ ରାଜୀବ ।ମିହିର ବହୁତ ଧନୀ ଘର ପିଲା ହୋଇଥିବା ବେଳେ ରାଜୀବ କିନ୍ତୁ ଗରିବ ଘରର ପିଲା।ହେଲେ ଉଭୟଙ୍କ ମଧ୍ୟରେ କ୍ଷୀର ନୀର ର ସମ୍ପର୍କ।କିନ୍ତୁ ମିହିର ଉପରେ ଧନ ଦୌଲତ କେବେ ବି ପ୍ରଭାବ ପକେଇ ପାରୁ ନଥାଏ।ଏହାର କାରଣ,ରାଜୀବଙ୍କର ମା'। ସେ ନିଜ ମାଆ ଆଉ ତା' ସାଙ୍ଗଙ୍କର  ମାଆଙ୍କ ଭିତରେ  ଆକାଶ ଓ ପାତାଳ ର ପ୍ରଭେଦକୁ ଅନୁଭବ କରି ପାରିଛି। ଗରିବ ହେଲେ ବି ରାଜୀବଙ୍କର ମାଆ ପୂରା ପରିବାରକୁ ମମତାର ବନ୍ଧନରେ ବାନ୍ଧି ରଖିଛନ୍ତି।ଶାଶୁ, ଶ୍ୱଶୁର, ଦିଅର, ନଣନ୍ଦ ଆଦି ପରିବାରର ସମସ୍ତ ବ୍ୟକ୍ତି ବେଶେଷଙ୍କର ବେସ ଖିଆଲ ରଖି ସେହି ପରିବାରଟିକୁ ଏକ ବୈକୁଣ୍ଠ ସମାନ ସଜେଇ ପାରିଥିବା କଥା ମିହିରଙ୍କର ହୃଦୟକୁ ଜିତି ପାରିଛି।

ପିଲାଟି ଦିନରୁ ତାଙ୍କ ପାଖରୁ

ମାଆ ଠାରୁ ଅଧିକ ସ୍ନେହ ପାଇ ଆସିଛି।ଏମିତି କି କେଉଁ ଖାଦ୍ୟ ମିହିରଙ୍କର ପସନ୍ଦ ସେ କଥା ବି ରାଜୀବଙ୍କର ମା' ମନେ ରଖି ପରସି ଦିଅନ୍ତି।ହେଲେ ମିହିରଙ୍କର ମାଆ ସମ୍ପର୍କ ମୂଲ୍ୟ କିଛି ବୁଝନ୍ତି ନାହିଁ।ସମ୍ପର୍କ କହିଲେ ସେ କେବଳ ତାଙ୍କ ସ୍ୱାମୀ ପୁଅ ଆଉ ନିଜକୁ ହିଁ ବୁଝନ୍ତି।ତେଣୁ ଉଭୟ ପରିବାରକୁ ତୁଳନା କରି ଆଶ୍ଚର୍ଯ୍ୟ ହଅନ୍ତି ମିହିର।ଅର୍ଥ,ଧନ ଓ ସମ୍ପତ୍ତି ଅଭାବ ଥିବା ପରିବାରରେ  ଶାନ୍ତି ଓ ସନ୍ତୋଷ ଯେ ଭରପୂର ଅନୁଭବ  ହେଉଥିବା ବେଳେ ଧନ ଧାନ୍ୟରେ ପରିପୂର୍ଣ୍ଣ ଥାଇ ଯେ ଏକ ପରିବାରରେ କିଞ୍ଚିତ ସୁଖର ଅନୁଭବ କରି ହୁଏ ନାହିଁ ଏକଥା ମିହିର ଭଲ ଭାବରେ ବୁଝି ପାରିଥିଲେ।ବାପା ମା', ଭାଇ ଭଉଣୀ, ବନ୍ଧୁ ବାନ୍ଧବ କେହି ବି ସୁଖି ଲାଗନ୍ତି ନାହିଁ। ସବୁବେଳେ ବାପା, ମା'ଙ୍କ ଭିତରେ ଝଗଡା ଆଉ ଭାଇ, ଭଉଣୀଙ୍କ ଭିତରେ ମନାନ୍ତର।ମିହିରଙ୍କର ବାପା ଜଣେ

ଉଛ ପଦସ୍ତ ସରକାରୀ ଅଫିସର।ଜେଜ ବାପାଙ୍କ ସମୟରେ ତାଙ୍କ ପରିବାର ଗରିବ ଥିଲେ।ପର ଘରେ ମୂଲ ଲାଗି ଭୋକ ଉପାସରେ ରହି ପିଲା ମାନଙ୍କୁ ମଣିଷ କରିଥିଲେ ଜେଜ।ନିଜ ପେଟରୁ କାଟି ପୁଅକୁ ଦେଇ ଦୁଃଖ କଷଣ ସହିବା ପରେ ପୁଅ ଅର୍ଥାତ ମିହୀରଙ୍କର ବାପା ମଣିଷ ପରି ମଣିଷଟିଏ ହେଇ ପାରିଥିଲେ।ଅଭାବ ଦୂର ହେଲା।ଜେଜେ ଓ ଜେଜେ ମା' ଦେଖିଥିବା ସ୍ବପ୍ନ ସଫଳ ହେଲା।ହେଲେ ସେହି ତ୍ୟାଗ ଓ ବଳିଦାନର ମୂଲ୍ୟ ବୁଝି ପାରିଲେଣି ମିହିରଙ୍କର ମାଆ।

ବିବାହ ବନ୍ଧନରେ ବାନ୍ଧି ହେଲା ପରେ

ମାନବିକତା ହରାଇ କେବଳ

ନିଜ ସୁଖ ହିଁ ଚାହିଁ ବସିଲେ।ବାପା ବି ମାଆଙ୍କ ହାତର କଣ୍ଢେଇ ପାଲଟି ଗଲେ।ଏକଥା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ମିହିର।ମା ଓ ବାପାଙ୍କର ଆଚାର ବ୍ୟବହାରରେ ମିହିର ଅତିଷ୍ଠ ବୋଧ କରନ୍ତି।ବେଳେବେଳେ ସବୁ ଥାଇ ବି ନିଜକୁ ଅସହାୟ ମଣନ୍ତି।ଏଣୁ ମାନସିକ ଶାନ୍ତି ଟିକିଏ ପାଇବା ପାଇଁ ସମୟ ଅସମୟରେ ସାଙ୍ଗ ରାଜୀବଙ୍କ ଘରକୁ ଚାଲି ଯାଆନ୍ତି ସେ।ଥରେ ମିହିର ସାହସ ବାନ୍ଧି ନିଜ ମା'ଙ୍କୁ ପ୍ରଶ୍ନ କରିଥିଲେ; " ମାଆ...ମୋ ସାଙ୍ଗ ରାଜୀବ,ତାଙ୍କ ଘରେ ଏତେ ଅଭାବ ଥାଇ ମଧ୍ୟ ଘରେ ଏତେ ଶାନ୍ତି।ପରିବାରର ସମସ୍ତଙ୍କ ମନରେ ଖୁସି ଅନୁଭୂତ ହେଉ ଥିବା ବେଳେ।ଆମ ଘରେ ଧନ ଦଉଲତ ଥାଇ ମଧ୍ୟ ସଦାବେଳେ ଅଶାନ୍ତିର କଳା ବାଦଲ ଘୋଟି ରଖିଅଛି କାହିଁକି? ଆଉ ଜେଜେ ବାପା ଓ ଜେଜେ ମା' ଏହି ବାର୍ଦ୍ଧକ୍ୟରେ କକା ଓ ଖୁଡୀଙ୍କ ସହିତ ରହୁଛନ୍ତି?

    ବାସ୍ ..ଏତିକି ପ୍ରଶ୍ନରେ ଆରମ୍ଭ ହେଲା ପୃଥିବୀ ପ୍ରଳୟ! ଅଗ୍ନି ମୁଖୀ ମାଆ କହିବାକୁ ଆରମ୍ଭ କଲେ; "ତୋର ମୁହଁ ବହୁତ ବଢି ଗଲାଣି।ସବୁ ସଭଦ୍ରାମି ସେହି ଦରିଦ୍ର ରାଜୀବ ଘରେ ଯାଇ ଶିଖୁଛୁ।ଆଜି ଠାରୁ ତାଙ୍କ ଘର ଯିବା  ସମ୍ପୂର୍ଣ୍ଣ ବନ୍ଦ।"”"

ଏମିତି ମନସ୍ତାପ ଭିତରେ କିଛ ଦିନ ରହିବା ପରେ କାକୁସ୍ତ ଭାବରେ ମାଆଙ୍କୁ ମିନତୀ ଜଣାଇବା ପରେ ମାଆ ସସର୍ତ୍ତେ ଅନୁମତି ଦେଲେ।ସର୍ତ୍ତ ଥିଲା ଏପରି ପ୍ରଶ୍ନ ଭବିଷ୍ୟତରେ କାନରେ ଯେମିତି ନବାଜେ।ସର୍ତ୍ତ ମାନିନେଲେ ମିହିର।ଏଥର ଅତି ଆନନ୍ଦ ମନରେ ସାଙ୍ଗ ଘରକୁ ବାହାରି ପଡିଲେ ସେ।ସର୍ତ୍ତ ଅନୁସାରେ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ ଭଲ ମନ୍ଦ ପ୍ରଶ୍ନ ମୁହଁରେ ସିନା ଶବ୍ଦ ହୋଇ ପ୍ରକାଶିତ ହେବ ନାହିଁ କିନ୍ତୁ ହୃଦୟକୁ,ମନକୁ ଆଉ ନିଜର ନିରପେକ୍ଷ ବିବେକକୁ କିଏ ବା ଅଟକାଇ ପାରିବ ? ଏହି ପ୍ରଶ୍ନ ଗୁଡିକ ନିଜ ମନ ଭିତରେ ସର୍ବଦା ଆନ୍ଦୋଳିତ ହେଉଥାଏ।ଏହା ନିଜ ପାଠ ପଢ଼ାରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଲା। ଦିନକୁ ଦିନ

ସ୍ୱାସ୍ଥ୍ୟ ରେ ବି ଅବନତି ଘଟିଲା। ଏହା ଦେଖି ବାପା ମାଆ ଚିନ୍ତାରେ ପଡିଗଲେ ।ଅନେକ ଡାକ୍ତର ପରାମର୍ଶ କରି ଔଷଧ ସେବନ କଲା ପରେ ମଧ୍ୟ ଏହାର ସୁଧାର ପରିଲକ୍ଷିତ ହେଲା ନାହିଁ। ସବୁ ଡାକ୍ତରଙ୍କର ଗୋଟିଏ କଥା ଥିଲା ଯେ; ମିହିରଙ୍କର କୌଣସି ରୋଗ ନାହଁ । ଏକୋଇର ବାଳା ମିହିରଙ୍କର ଏପରି ଅବସ୍ଥା ଯୋଗୁଁ, ମାଆ ବାପା ଅସ୍ତବ୍ୟସ୍ତ ହୋଇ ପଡିଲେ।ମିହିରଙ୍କର ମାନସିକ ସ୍ଥିତି ସୁଧାରିବା ପାଇଁ ଏହି ଜଟିଳ ପରିସ୍ଥିତିର  ଚାପରେ ପଡ଼ି ତାଙ୍କ ସାଙ୍ଗଙ୍କୁ ନିଜ ଘରକୁ ଅଧିକାଂଶ ସମୟରେ ଡାକିଲେ।ହେଲେ ମଧ୍ୟ ଦିନକୁ ଦିନ ମିହିର ଅଧିକରୁ ଅଧିକ ଚିଡିଚିଡା ହେବାର ଦେଖାଗଲା।ସମସ୍ତଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରୁଥାନ୍ତି ସେ।କଥା କଥାକେ ସମସ୍ତଙ୍କୁ ସ୍ୱାର୍ଥପର ଓ ବେଇମାନ କହୁଥାନ୍ତି ସେ।ଦିନକୁ ଦିନକୁ ନିଜର ମସ୍ତିଷ୍କ ର ଭାରସାମ୍ୟ ହରାଇ ୟାଡୁ ସ୍ୟାଡୁ ବକି ବାକୁ ଲାଗିଲେ ମିହିର;..…ହେଇ ମୋ ଜେଜୀ ମାଆ ଡାକି ଲେଣି....ମୋତେ ଯିବାକୁ ହେବ..….ମୋତେ ସେମାନଙ୍କର ସେବା କରିବାକୁ ହେବ....ଇତ୍ୟାଦି ଅନେକ କଥା।ଏମିତି ବାଉଳିବା ଦେଖି ମାଆ ତାଙ୍କ ମୁଣ୍ଡରେ ହାତ ଦେଇ ବସିଲେ।ମିହୀରଙ୍କର ଏପରି ଜଟିଳ ଅବସ୍ଥା ଦେଖି ରାଜୀବଙ୍କ ମାଆ ଆସି ମିହିର ଙ୍କର ମା'ଙ୍କୁ କିଛି କହିବାକୁ ପ୍ରୟାସ କଲେ; "ମୁଁ ଗୋଟେ କଥା କହିବାକୁ ଚାହେଁ ।ଯଦି କିଛି ଖରାପ ନଭାବିବେ ତେବେ କହିବି"।ପରିସ୍ଥିତିର ଦାସ ହୋଇ ମିହିରଙ୍କ ମା' ଗରିବ ରାଜୀବଙ୍କର ମାଆଙ୍କୁ ଆଲିଙ୍ଗନ କରି  କହିବାକୁ ଲାଗିଲେ; "" ଭଉଣୀ,ମୋ ପୁଅ ତୁମକୁ ବହୁତ ଭଲ ପାଏ।ଯାହା ଆପଣ କହିବେ ମୁଁ ତୁମର ସବୁ କଥା ମାନିବି ।ହେଲେ କିଛି ଯଦି ଉପାୟ ଅଛି ବିଳମ୍ବ ନକରି  କୁହନ୍ତୁ ଆଉ ମୋ ପୁଅର ଜୀବନ ବଞ୍ଚେଇ ଦିଅନ୍ତୁ।

ଇଛା ନଥାଇ ରାଜୀବଙ୍କର ମା' ମିହିରଙ୍କର ମନ କଥା କହିଲେ।ମିହିର ତାଙ୍କ ପରିବାରର ସମସ୍ତ ଲୋକଙ୍କ ଉପସ୍ଥିତି ଚାହୁଁଛନ୍ତି।ସବୁ ଦିନ ପାଇଁ ବରଂ ନହେଉ ଅଳ୍ପ ଦିନ ପାଇଁ ଆପଣ ମାନେ ଆପଣଙ୍କ

ପରିବାର ସହ ରହନ୍ତୁ।ଏକାଠି ରହିଲେ,ମୋ' ମନ କହୁଛି,ମିହିର ନିଶ୍ଚୟ ଭଲ ହୋଇଯିବେ।କିଛି କ୍ଷଣ ନୀରବ ରହିବା ପରେ ପରାମର୍ଶରେ ସମ୍ମତି ହେଲେ।ମିହୀରଙ୍କ ବାପାଙ୍କ ସହ ଆଲୋଚନା କରି ପରିବାରର ସମସ୍ତଙ୍କୁ ଆଣି ନିଜ ପାଖରେ ରଖିଲେ।ଜେଜେ ଓ ଜେଜେ ମା' ,କକା ଖୁଡୀଙ୍କ ଗହଣରେ ରହିବା ପରେ ମିହିରଙ୍କର ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଲା।ଅଳ୍ପଦିନ ମଧ୍ୟରେ ପୂର୍ବ ଅବସ୍ଥାକୁ ଫେରି ଆସିଲେ ମିହିର।ଆଉ ଆନନ୍ଦ ମନରେ ମାଆଙ୍କୁ କୁଣ୍ଢେଇ ସ୍ନେହ ଭରା କଣ୍ଠରେ କହିଲେ "ମୋ' ମାଆ କେତେ ଭଲ"।ଏମିତି ସ୍ନେହଭରା କଥା ଶୁଣିବା ପରେ ମିହିରଙ୍କ ମାଆଙ୍କ ଆଖିରୁ ଗର୍ବ ଅହଂକାର ସବୁ କେଇ ବୁନ୍ଦା ଅଶ୍ରୁ ହୋଇ ଝରିଗଲା।ନିଜ ଭୁଲ ବୁଝି ପାରିଲେ ସେ।ପ୍ରକୃତରେ ସୁଖର ଆଧାର ସ୍ନେହ ଆଉ ଶ୍ରଦ୍ଧା।ଯଦି ପରିବାରରେ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆନ୍ତରିକ ସ୍ନେହ ଓ ଶ୍ରଦ୍ଧା ପାର୍ଯ୍ୟାପ୍ତ ପରିମାଣରେ ଆଦାନ ପ୍ରଦାନ ହେଉଥିବ ତେବେ ସେହି ପରିବାର ରେ ବୈକୁଣ୍ଠପୁରର ମହା ଆନନ୍ଦକୁ ଅତି ନିକଟରୁ ଯିବ ସତ୍ତା ମଧ୍ୟରେ ଥାଇ ହିଁ ଅନୁଭବ କରିହେବ।ତାହା ହିଁ ବିଳମ୍ବରେ ହେଉ ମଧ୍ୟ ବୁଝି ପାରିଥିଲେ ମିହୀରଙ୍କର ମା'।ନାରୀ ହିଁ ଘରଟିଏକୁ ସ୍ୱର୍ଗ କରି ସଜେଇପାରେ।ପ୍ରତ୍ୟେକ ନାରୀ ପାଖରେ ଏମିତି ମନୋଭାବ ରହିବା ଆବଶ୍ୟକ।


କବି ଭାରତୀ ସରିତା ମହାନ୍ତି
ବାଲିଆପାଳ, ବାଲେଶ୍ୱର

Post a Comment

0 Comments