କେଉଁ ଅବେଳରେ ଆସିଥିଲ ତୁମେ
ଯନ୍ତ୍ରଣା ଦେଲ ଅସହ୍ୟ
କଳଙ୍କିତ କଲ ଏହି ମସିହାକୁ
ଥିଲା ମନେ କେତେ ଭୟ
ମଣିଷ ଥିଲା ଅଥୟ
କରୋନା ଦାଉରୁ ହାହାକାର ବିଶ୍ଵ
ନିଅ ହେ ଶୁଭ ବିଦାୟ ।।
କାଳ କରାଳର ଅତାଳ ଦୁଃଖରୁ
ବଞ୍ଚିବାର ପାଇଁ ଆଶା
କର୍ମଚାରୀ ଅବା କୁଲି ମଜୁରିଆ
ହରାଇ ବସିଲେ ପେସା
ଅଭାବ ଥିଲା ପଇସା
ହାତେ ହାତ ବାନ୍ଧି ଘରେ ବସିରହି
କାନ୍ଦୁଥିଲେ ଯେତେ ଚଷା ।।
ବନ୍ଦ ହୋଇଥିଲା ବିଦ୍ୟାଳୟ ଯେତେ
ବନ୍ଦ ଦୋକାନ ବଜାର
ବନ୍ଦ ହୋଇଥିଲା ପର୍ଯ୍ୟଟନ ସ୍ଥଳୀ
ବନ୍ଦ ହେଲା ସିଂହଦ୍ୱାର
ବନ୍ଦ ହୋଇଲା ମନ୍ଦିର
ବନ୍ଦ ହୋଇଥିଲା ସରକାରୀ କାର୍ଯ୍ୟ
ନିରୁପାୟ ସରକାର ।।
ବନ୍ୟା ବିଭୀଷିକା,ଚାଇନା ତିକ୍ତତା
ହୋଇଥିଲା ବିସ୍ଫୋରଣ
କରୋନା କାରଣୁ ମୃତ୍ୟୁ ହୋଇଗଲେ
ମନା ଯିବାକୁ ଶ୍ମଶାନ
ରହିବ ସବୁ ସ୍ମରଣ
ହୃଦ ବିଦାରକ ଦୃଶ୍ୟଦେଖି ସତେ
ଆନ୍ଦୋଳିତ ହୁଏ ମନ ।।
ଗୋଟାଏ ବର୍ଷର ଅପଶୋରା ଦୃଶ୍ୟ
ସୃଷ୍ଟି କଲ ଇତିହାସ
ଆସିଛ ଯେହେତୁ ଯିବା ତ ନିଶ୍ଚିତ
ଆତିଥ୍ୟ ହୋଇଛି ଶେଷ
ଥିଲା ହଳାହଳ ବିଷ
କରୁଛି ପ୍ରଣାମ ନିଅ ହେ ବିରାମ
ନ ଧରିବ ଦୋଷା ଦୋଷ ।।
0 Comments