ମାଆର ମାତୃତ୍ତ୍ୱ - ସୁମିତ୍ରା ସାହୁ




"ମାତୃତ୍ତ୍ୱ ପାଇଲି ତୋ' ଦୟାରେ ପ୍ରଭୁ 
ତୁ ଯେବେ ସାଜିବୁ ଦାଉ,
କେମିତି ବଞ୍ଚିବି ଏହି ଦୁନିଆରେ 
ଷାଠିଏ ପଉଟି ଖାଉ।। 

ଭୋକ ବିକଳରେ ମୋ' ରଙ୍କରତନ
କାନ୍ଦୁଅଛି କଇଁ କଇଁ,
ମାଆ ହୋଇ ମୁଁ କେମିତି ସହିବି
ତୁ ପରା ଜଗତ ସାଇଁ।।

ବିଶି କେଶନର ମୁହଁକୁ ଦେଖିଲେ
ଧାରେ ଲୁହଯାଏ ବହି,
ବଡ ଦେଉଳରେ ରତ୍ନ ସିଂହାସନେ
କେମିତି ପାରୁଛୁ ରହି।।

ବୋଉ ବୋଉ ବୋଲି ମାଗୁଅଛି ସେହି
ଖାଇବାକୁ ଦେବା ପାଇଁ,
କେଉଁ କଥା କହି ବୁଝେଇବି ତା'କୁ 
ଖୁଦ କଣିକାଟେ ନାହିଁ।।
     
ଛାତିରୁ ମମତା କେତେ ଯାଏ ଝରି
ସେଥିରେ ପୁରେନି ପେଟ,
ଏଡିକି ବକଟେ ଅଜ୍ଞାତ ଶିଶୁଟେ
କେତେ ଯେ ସହିବ କଷ୍ଟ।।

ଗୁହାରି କରୁଛି ତୋ'ର ଚରଣରେ 
ପଣତ କାନୀକୁ ପାରି,
ଭୋକ ବିକଳରେ ମରିଯାଏ ପଛେ
ପୁଅ ପେଟ ଦେଏ ଭରି।।

ମୁଁ ସିନା ଗୋଟିଏ ସନ୍ତାନର ମାଆ
ତୁ ପରା ଜଗତ ପିତା,
ପୁତ୍ର ଜାତ କଲୁ ମୋହରି କୋଳରେ
ସୌଭାଗ୍ୟେ ହେଲି ମୁଁ ମାତା।।

ଏତେ ଦୁଃଖ ଦେଖି ପଥର ହେଇଛି
ମୁକ ପାଲଟିଛି ଆଜି,
ଗଳାର ହାରକୁ ଯନ୍ତ୍ରଣା ଦେଇଛି
ରାକ୍ଷସୀ ଦାନବୀ ସାଜି।। 

ତୁ ଦୟା କରିଲେ ମଣିଷ କରିବି
କୁନି କୁମରକୁ  ମୋର,
କୃପା ଦୃଷ୍ଟି ଯଦି ନୂ' ଦେବୁ କାଳିଆ
ସବୁ ହବ ନାର ଖାର।।

କେମିତି ସହିବି ଛୁଆର କଷଣ 
ହୃଦୟ ଯାଉଛି ମରି, 
ପ୍ରାଣବାୟୁ ମୋର ଯିବ ନିଶ୍ଚେ ଉଡି
ସଂସାରୁ ହୋଇବି ପାରି।। 

ଗଳା ଫଟେଇ ମୁଁ ଡାକୁଅଛି ତତେ 
ବଧିର ହେଲୁ କି ତୁହି,
ନାରୀ ରୂପେ ମତେ ଧରାରେ ଜନ୍ମିଲୁ 
କାହିଁକି ଜଗତ ସାଇଁ।।

ମୋ' ଆଗେ କାନ୍ଦଇ  ହୃଦୟ ନନ୍ଦନ
ବୋଉ ଡାକି କଇଁ କଇଁ,
ବଡ ଅଭିଶପ୍ତ ଜନନୀ ଜୀବନ
ମଥା ଯାଉଅଛି ନଇଁ।।
 
ନାରୀ ରୂପେ ଯଦି ଜନମ ଦେଲୁ ତୁ
ଦେଲୁନି ବାହୁରେ ବଳ,
ଭୋକ ବିକଳରେ ସନ୍ତାନ ମୋହର
ଖୋଜନ୍ତାନି ମାଟି କୋଳ।।"


ଯାଜପୁର

Post a Comment

0 Comments