ଜନ୍ମର ବେଳରେ ଥିଲି ମୁଁ ଫୁଙ୍ଗୁଳା
ଧାତୁ ଦଣ୍ଡଟିଏ ମାତ୍ର ।
ଶକ୍ତ ଶରୀରଟା କ୍ଷୀଣ ହେଉଥିଲା
ଆଙ୍କି ପ୍ରସ୍ତରରେ ଚିତ୍ର ॥
କେତେ ମୁନୀ ଋଷି ଲେଖି ଯେ ବସିଲେ
ତାଳପତ୍ରେ ପୋଥିମାନ ।
ବିଶ୍ୱ ଇତିହାସ ଗୌରବ ଉଜ୍ୱଳ
ଛୋଟ ମୋର ଅବଦାନ ॥
ପକ୍ଷୀର ପରରେ କାଳିମା ଲଗାଇ
କେ ଲେଖିଲା କେତେ କାବ୍ୟ ।
ବେଦ, ବାଇବେଲ କୋରାନ୍, ଜାତକ
ଗୁରୁ ଗ୍ରନ୍ଥ ଅତି ଭବ୍ୟ ॥
ଆଧୁନିକ ସ୍ପର୍ଶ ପାଇଛି ମୁଁ ସତ
ବଦଳି ନାହିଁ ମୋ ଢଙ୍ଗ ।
ଲେଖେ ଇତିହାସ, ଭୂଗୋଳ,ସାହିତ୍ୟ
ବଳିଦେଇ ମୋର ଅଙ୍ଗ ॥
ମୋ ପାଖରେ ନାହିଁ ଜାତି-ଧର୍ମ-ବର୍ଣ୍ଣ
ଭେଦଭାବ କୁଟନୀତି ।
ଲେଖିବା ମୋ ଧର୍ମ ଜାଣିଛି ମୋ ମନ
ଗୋଟିଏ ମଣିଷ ଜାତି ॥
ଧନୀ କି ନିର୍ଦ୍ଧନ ଜଣାନାହିଁ ମୋତେ
ଜାଣେ ନାହିଁ ରାଜା-ପ୍ରଜା ।
ମୂର୍ଖପାଇଁ ମୁଁ ଯେ ଅଲୋଡା ଜିନିଷ
ପଣ୍ଡିତେ କରନ୍ତି ପୂଜା ॥
ଅସ୍ତ୍ରଶସ୍ତ୍ର ଦିଏ କ୍ଷଣିକ କ୍ଷମତା
କାଳ ବକ୍ଷେ ଯାଏ ହଜି ।
ମୋର କଳେବର କରଇ ଅମର
ଲେଲିହାନ ଲେଖାରାଜି ॥
ଲେଖକ, ଭାବୁକ, କବି,ଦାର୍ଶନିକ,
ଯନ୍ତ୍ରୀ,ମନ୍ତ୍ରୀ, ନ୍ୟାୟଧିଶ ।
ଗୁରୁ, ଚିକିତ୍ସକ କିବା ବୈଜ୍ଞାନିକ
ସଭିଙ୍କୁ ମୋ ସ୍ନେହାଶିଷ ॥
କାହାହାତେ ମୁଁ ଯେ କ୍ରିଡନକ ପୁଣି
କାହାପାଇଁ କୋଟିନିଧି ।
ଦୃଷ୍ଟ ପାଇଁ କାଳ ଦୁର୍ବଳର ବଳ
ସମାଜର ପ୍ରତିନିଧି ॥
ଶାନ୍ତି ମୈତ୍ରୀ ପାଇଁ ମୋହରି ଜନମ
ମୋ ମନେ ନାହିଁ କପଟ ।
କାହିଁକି ଏ ନର ଝରାଏ ରୁଧିର
କଷ୍ଟେ ହୁଏ ଛଟପଟ ॥
ବିନୟ ଭୂଷଣ ମହାପାତ୍ର
ଚଣ୍ଡିଖୋଲ, ଯାଜପୁର




0 Comments