ହଟିଆ ଠାକୁର
ଦୟାର ସାଗର
କରୁଛ କିପାଇଁ ମାୟା
ତୁମରି ଭକତ
ଡାକେ ଅପ୍ରମିତ
କର ବାରେ ଟିକେ ଦୟା।
ଷାଠିଏ ପଉଟି
ଭୁଞ୍ଜୁଅଛ ନିତି
ବସିଅଛ ଶ୍ରୀମନ୍ଦିରେ
ଭୋକ ଉପାସରେ
ବସି ଅନାହାରେ
ଡାକନ୍ତି କେତେ ଆତୁରେ।
ଦୁନିଆର ଦୁଃଖ
ଚକାଆଖି ଦେଖ
ରଖ ଆହେ ମହାବାହୁ
ତୁମ ଶ୍ରୀଚରଣ
ପଶୁଛି ଶରଣ
ଜଗତର ଦୁଃଖ ଯାଉ।
କାହିଁ ଏତେ ନଟ
ଦେଖୁଅଛ ନାଟ
ଦୁଃଖିକୁ କନ୍ଦାଇ ମାର
ତୁମରି ସନ୍ତାନ
ସଭିଏଁ ସମାନ
ତୁମେ ପ୍ରଭୁ ରକ୍ଷାକର।
ମାୟା ଜାଲେ ଛନ୍ଦି
ଦୁଃଖେ କାନ୍ଦିକାନ୍ଦି
ଆଖିରୁ ଝରାଏ ଲୁହ
ତୁମ ଶ୍ରୀପୟରେ
ଡାକୁଛି ଆତୁରେ
ପାଦତଳେ ସ୍ଥାନ ଦିଅ।
ନାହିଁ ମୋ ଶକତି
ଜାଣେନା ଭକତି
ନ ଜାଣଇ ପୂଜା ବିଧି
ମୁହିଁ ଦୀନହିନ
ଅଧମ ଅଜ୍ଞାନ
ରଖ ଆହେ ଦୟାନିଧି।
ଆହେ ଲକ୍ଷ୍ମୀପତି
ଅଗତିର ଗତି
ଉଡାଅ ବିଜୟ ଧ୍ବଜା
କରହେ ମୁକତି
ଦେଇ ଟିକେ ଶାନ୍ତି
ତୁହି ମୋ କାଳିଆ ରଜା।
ଏତିକି ମିନତି
ଆହେ ରମାପତି
ଦୂରକର ସର୍ବ ଦୁଃଖ
କଷଣ ଦୂଷଣ
କରହେ ଫେଡାଣ
ଜଗତକୁ ଦେଇ ସୁଖ।
ଶଙ୍ଖମୂଳ, ରଣପୁର
ଜିଲ୍ଲା, ନୟାଗଡ଼



0 Comments