କେବେ ସେ ଦାଦନ
କେବେ ସେ ମୁଲିଆ
କିଏ କହେ ତାକୁ କୁଲି,
ସପନ ଯାହାର ଆଖିରୁ
ଆକାଶ ଚଢ଼ୁ ପଛେ ନିତି ଶୁଳୀ.
ଆଖିରେ ଆଖିଏ ସପନ
ସର୍ବଦା ହେଉ ଥାଏ ଝଲମଲ
କଷା ଦାରିଦ୍ର୍ୟର ଜକଡ ଜାବୁଡେ
ହୁଏନା କେବେ ସାକାର.
ନିତି ମରୁଥାଏ ନିତି ପୁଣି ବଞ୍ଚେ
ସପନେ ସରଗ ଭେଟେ
ମରି ମରି ନିଜ ଶବ ନିଜେ ବୋହି
ଶ୍ମଶାନରେ ରାତି କାଟେ.
ସବୁ ସୁଖ ଯାର ଚିରା ହୋଇ ଥାଏ
ସବୁ ହସ ଯାକ ଶୀର୍ଣ୍ଣ
ଜହ୍ନ ଆଲୁଅରେ ଦିଶେ ମଖମଲି
କୁଡ଼ିଆ ଟି ଯେଣୁ ପର୍ଣ୍ଣ..
ଯୌବନରେ ଜରା ମାଡି ମାଡି ଆସେ
ପିଞ୍ଜରା ଦେଖାଏ ଦାନ୍ତ,
ସପନ ଦେଖେ ସେ ଚାଲେ ଫିଟ ଫାଟ
ସାଇବଙ୍କ ପରି ଥାଟ.
କୁନା କୁନି ଦୁହେଁ ଅଲରା ବୁଲନ୍ତି
ବିଦ୍ୟାଳୟ ଖୋଜେ ଚାଟ,
ଶୁନ୍ୟ ଅନ୍ଧାରରେ ହାତକୁ ବୁଲେଇ
ଚିତ୍ର ଆଙ୍କି ଲେଖେ ପାଠ.
ଜ୍ୱର ଅଶୂକରେ ଦିନେ ପଡିଗଲେ
ଜନ୍ତୁପତି ଦିଏ ଦେଖା,
ବିଳି ବିଳି କରେ ନିଝୁମ ନାଲିଶ
ଛାଡି ଦିଅ ଥରେ ଏକା.
ଛିଣ୍ଡା କପଟାରେ ଦେହ ଢାଙ୍କି ଶୁଏ
ସ୍ବପ୍ନ ପାଟ ପିତାମ୍ବରୀ,
ଗୋବର ସାଉଁଟେ ପତର ଗୋଟାଏ
ଅଣ ରାନ୍ଧେ ଦିହ ଜାଳି.
ସପନ ଦେଖନ୍ତି ମିଳିମିଶି ସବୁ
ମକରେ ପିନ୍ଧିବେ ନୂଆ ,
ଜ୍ବଳନ ଦହନ ହୃଦୟର କୋହେ
ଭିଜି ସବୁ ହୁଏ ଧୁଆ.
ଧନତ ଅଭାବ ମନ ଭରପୁର
ନିତି ଦିଏ ପ୍ରତିଶୃତି,
ସମ୍ଭାବନା ସତ୍ୟ ସ୍ବପ୍ନକୁ ସାକାର
ପାଇଁ ଭିଡିଥାଏ ଅଣ୍ଟି.
ସବୁ ଆଶା ଯାକ ହୁଏ ଅପହଞ୍ଚ
ସ୍ବପ୍ନ ସବୁ ଦରସିଝା,
ମୁଦେ କିବା ଆଖି ଝରି ସୁଖେ ଲୁହ
ସ୍ବପ୍ନ ରହେ ଅଧା ଲେଖା.
ସପନ ପାଇଁକି ରାତି କିବା ଅଂଟେ
କୁତ କୁତ କରେ କାଳ,
ସପନ ଗଦାକ ଗଂଠୁଲିରେ ଧରି
ଆଲୋକ ଖୋଜେ ଗରିବ.
ମିନତୀ ଦାଶ
ବାରିପଦା
ମୟୁରଭଞ୍ଜ
9438478657



0 Comments