ଆଦ୍ୟ ଜ୍ୟେଷ୍ଠ ଅମାବାସ୍ୟାଟି ବୋଲେ ହୁଁଟି
ପ୍ରିୟ ସବୁ ନାରୀଙ୍କରଟି ବୋଲେ ହୁଁଟି
ଅତି ପବିତ୍ର ଏ ତିଥିଟି
ସାବିତ୍ରୀ ଓଷାର ଦିନଟି
ହୃଦେ ରଖି ଶ୍ରଦ୍ଧା ଭକ୍ତିଟି ବୋଲେ ହୁଁଟି
ପାଳନ୍ତି ନାରୀଏ ଏକାଠି ବୋଲେ ହୁଁଟି।
ପ୍ରଭାତରୁ ସ୍ନାନ ସାରିଣ ବୋଲେ ହୁଁଟି
କରି ନବବସ୍ତ୍ର ଧାରଣ ବୋଲେ ହୁଁଟି
ବିବାହିତା ନାରୀ ସକଳେ
ଏକତ୍ର ହୋଇ ବଟମୂଳେ
ସାବିତ୍ରୀ ଦେବୀଙ୍କୁ ପୂଜନ୍ତି ବୋଲେ ହୁଁଟି
ବ୍ରତ ଉପାଖ୍ଯାନ ଶୁଣନ୍ତି ବୋଲେ ହୁଁଟି।
ପଞ୍ଚ ସତୀ ମଧ୍ୟେ ଶ୍ରେଷ୍ଠ ଯେ ବୋଲେ ହୁଁଟି
ଅଶ୍ବପତି ରାଜଜେମା ସେ ବୋଲେ ହୁଁଟି
ବରିଥିଲେ ସତ୍ୟବାନଙ୍କୁ
ପାଳିଥିଲେ ପତ୍ନୀ ଧର୍ମକୁ
ସତୀତ୍ୱର ପରାକାଷ୍ଠାରେ ବୋଲେ ହୁଁଟି
ମାନ ରଖିଗଲେ ମହୀରେ ବୋଲେ ହୁଁଟି।
ତ୍ରି-ରାତ୍ର ବ୍ରତକୁ କରିଲେ ବୋଲେ ହୁଁଟି
ଯନ୍ତୁପତି ସାଥେ ଲଢିଲେ ବୋଲେ ହୁଁଟି
ବଞ୍ଚାଇ ପତିଙ୍କର ପ୍ରାଣ
ମାଗି ଆଣିଲେ ଆୟୁ ଦାନ
ହୋଇଣ ଶତପୁତ୍ର ବତୀ ବୋଲେ ହୁଁଟି
ବୋଲାଇଲେ ସୌଭାଗ୍ୟବତୀ ବୋଲେ ହୁଁଟି।
ଏମନ୍ତ ଏ ବ୍ରତ କାହାଣୀ ବୋଲେ ହୁଁଟି
ତୋଷ ହୁଅନ୍ତି ସର୍ବେ ଶୁଣି ବୋଲେ ହୁଁଟି
ଫଳମୂଳ ଭୋଗ କରନ୍ତି
ସାତ ଗଣ୍ଠି ବ୍ରତ ବାନ୍ଧନ୍ତି
ସ୍ବାମୀଙ୍କ ମଙ୍ଗଳ ମନାସି ବୋଲେ ହୁଁଟି
ଦୀର୍ଘ ଆୟୁଷ ସେ ମାଗନ୍ତି ବୋଲେ ହୁଁଟି।
ଭୂଷଣ ସଧବା ନାରୀର ବୋଲେ ହୁଁଟି
ସିମନ୍ତରେ ଧାରେ ସିନ୍ଦୂର ବୋଲେ ହୁଁଟି
ଅଳତାର ଗାର ପାଦରେ
ଥିଲେ ନାଲି ଶଙ୍ଖା ହାତରେ
ଅହ୍ୟ ସୁଲକ୍ଷଣୀ ବୋଲାଇ ବୋଲେ ହୁଁଟି
ଆନନ୍ଦେ ଦିନ ସେ କାଟଇ ବୋଲେ ହୁଁଟି।
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ।



0 Comments