ଜ୍ୟେଷ୍ଠ ମାସ କୃଷ୍ଣ ଅମାବାସ୍ୟା ତିଥି
ସଧବା ନାରୀଙ୍କ ବ୍ରତ,
ଅହ୍ୟ ସୁଲକ୍ଷଣୀ ପତି ସୋହାଗିନି
ହେବାକୁ ସଭିଙ୍କ ଚିତ୍ତ।।
ମଦ୍ର ଦେଶ ରାଜା ପାଳନ୍ତି ପରଜା
ନାମ ତାଙ୍କ ଅଶ୍ଵପତି,
ସର୍ବ ଅଭିଜାତ୍ୟ ପରି ପୂର୍ଣ୍ଣ ଥିଲା
ନାହିଁ ସନ୍ତାନ ସନ୍ତତି ।।
ପଣ୍ଡିତ ବିଚାରେ ଯଜ୍ଞ ଆରମ୍ଭିଲେ
ସାବିତ୍ରୀ ନାମକୁ ଧ୍ୟାୟୀ,
ପୂର୍ଣ୍ଣାହୁତି କାଳେ ସୂପ୍ରସନ୍ନ ହେଲେ
ଜଗଦ୍ଧାତ୍ରୀ ମହାମାୟୀ ।।
ଦୁହିତା ଗୋଟିଏ ଜନମ ହୋଇଲା
କୌଶଲ୍ୟା ରାଣୀ ଙ୍କ କୋଳେ,
ସର୍ବଗୁଣ ଭରା ସୁଶୀଳା ନିପୁଣା
ନଥିବ ଖଣ୍ଡ ମଣ୍ଡଳେ।।
ଶାଲ୍ୱ ନରପତି ଦ୍ୱୁମତ ସନ୍ତତି
ନାମ ଅଟେ ସତ୍ୟବାନ,
ପ୍ରଥମ ଦେଖାରୁ ପ୍ରୀତି ବଢ଼ିଗଲା
ସାବିତ୍ରୀ ଦେଲେଟି ମନ।।
ଲକ୍ଷ୍ମୀ ନାରାୟଣ ପ୍ରତ୍ୟେହ ପୂଜିଣ
ଜଣାନ୍ତି ସାବିତ୍ରୀ ଦୁଃଖ,
ବଣ ଫୁଲ ଫଳ ଆନନ୍ଦେ ସମର୍ପି
କହନ୍ତି ପ୍ରଭୁ ହେ ରଖ।।
ଅଳ୍ପାୟୁ ଜାଣିଣ ବରଣ କରନ୍ତି
ହୃଦେ ରହିଥାଏ ଭକ୍ତି,
ଅମାବାସ୍ୟା ଦିନ ଜଙ୍ଗଲକୁ ଗଲେ
ସାଙ୍ଗେ ଥିଲେ ମହା ସତୀ।।
ଠିକ ସମୟରେ ଯମ ଉପସ୍ଥିତ
ହେଲେ ସତ୍ୟବାନ କତି,
ଆତ୍ମା କୁ ଧରିଣ କରନ୍ତେ ଗମନ
ପଛରେ ଯାଏ ସାବିତ୍ରୀ ।।
ଶତପୁତ୍ର ବର ପ୍ରଦାନ କରନ୍ତେ
ପଚାରିଲେ ଯମ କତି,
ପତିବିନା ପୁତ୍ର କିପରି ସମ୍ଭବ
କୁହ ଟିକେ ଜନ୍ତୁପତି।।
ଶେଷରେ ସମର୍ପି ସତ୍ୟବାନ ପ୍ରାଣ
ଯମ କଲେ ଧନ୍ୟ ଧନ୍ୟ,
ସତୀ ଶିରୋମଣି ସାବିତ୍ରୀ ଫେରାଇ
ଆଣିଥିଲେ ପତି ପ୍ରାଣ।।
ସେହି ଦିନ ଠାରୁ ଜ୍ୟେଷ୍ଠ ଉଆଁସରେ
ସିନ୍ଦୁର ଅଳତା ନାଇ,
ବନ ଫୁଲ ଫଳ ସମର୍ପଣ କରି
ଲକ୍ଷ୍ମୀ ନାରାୟଣ ଧ୍ୟାୟୀ ।।
ସାବିତ୍ରୀ ଜନମ ଯମଙ୍କୁ ପୂଜନ
ହୃଦେ ଲକ୍ଷ୍ମୀ ନାରାୟଣ,
କରନ୍ତି ସଧବା ପତିଙ୍କ ନିମନ୍ତେ
ସର୍ବ ସୁଖ ମନାସିଣ।।
ଗ୍ରାମ ବାଣତୁମ୍ବ ,ପୋଷ୍ଟ ବେଲଗୁଣ୍ଠ।, ଗଞ୍ଜାମ



0 Comments