ଦୁନିଆ ଯାକର ଭୋକିଲା ପେଟକୁ
ଯୋଗାଇ ଦିଏ ଆହାର ।
ଖରା ବର୍ଷା ଶୀତ କାକର କୁହୁଡି
ଚିର ସହଚର ତାର।।
ଝାଳ ନୁହେଁ ସେତ ରକତ ନିଗାଡି
ମାଟି ପାଣି କାଦୁଅରେ ।
ସମର୍ପି ଦେଇଛି ଆନନ୍ଦ ମନରେ
ନିଜକୁ ଦେଶ ସେବାରେ।।
ତା ଚରିତ୍ର ବିକି କେତେ ମହାରଥୀ
ମହାନ୍ ଏ ମହୀ ତଳେ ।
ତଥାପି ସେ କେବେ ମାଗିନି ସମ୍ମାନ
ତାଙ୍କୁ ନମସ୍କାର କରେ।।
ମନେ ନାହିଁ ତାଙ୍କ କୂଟ କପଟ ଯେ
ରାଜନୀତି ପଶାପାଲି ।
ତାକୁ ନେଇ ସର୍ବେ ଗୋଟି ଚଳାଅନ୍ତି
ନିଜ ବାହାଦୂରୀ ମାରି।।
ତମେ ଆଜି ସବୁ ମନ୍ଦିର ବେଢ଼ାରେ
ଦେବତାଙ୍କ ନାମ ନେଇ ।
ଚିକ୍କଣ ତେଲିଆ ଧୋବ ଫରଫର
ଭଦ୍ରମୁଖା ପିନ୍ଧି ଦେଇ ।।
ନିଜକୁ ବୋଲାଅ ଦେବ ଲୋକ ବୋଲି
ଆଉ ସବୁ ଏଠି ଛାର ।
ଭୁଲିତ ଯାଇଛ ଦେଉଳ ତୋଳାର
ଆଦି ଅନ୍ତ ଭୂମି ମୂଳ ।।
ମଳି ମୁଣ୍ଡିଆ ସେ ଧୂଳି ଧୂସରିତ
ଅପାଠୁଆ ଛାର ଜୀବ ।
ପେଟପାଟଣାକୁ ସମ୍ଭାଳିବା ପାଇଁ
ଗଢି ଦେଲା ମହା ସ୍ତମ୍ଭ।।
ଯେଉଁ ଘର ଆଜି ତୋଳି ଦେଲା ସିଏ
ଦେବତା ରହିବା ପାଇଁ ।
ତାକୁ ଆଜି ତମେ ଅଛୁଆଁ କହୁଛ
ଭିତରେ ପ୍ରବେଶ ନାହିଁ।।
ଖାଦ୍ୟ, ବସ୍ତ୍ର, ବାସଗୃହ ତ କହୁଛ
ମୋଳିକ ଆବଶ୍ୟକତା ।
କିଏ ତାକୁ ଆଜି କରିଛି ପୂରଣ
ବଢ଼ିଛି ଆଜି ସଭ୍ୟତା ?
ତମେ ସବୁ ଯିଏ ବଡ ବାବୁ ସାଜି
ସଭ୍ୟତାର କଥା କୁହ ।
ତୁମକୁ କିଏ ଭଦ୍ର ବେଶେ ଆଜି
ସଜାଇ ଦେଇଛି କୁହ ?
ସେଇ ମଣିଷକୁ କରୁଛି ପ୍ରଣାମ
ବେନି କର ଯୋଡ଼ି ମୁହିଁ ।
ସଭ୍ୟତାର ରୂପ ବୁଝେଇ ଦେଇଛି
ଜଗତରେ ଶ୍ରେଷ୍ଠ ସେହି।।
କରୁଣାକର ମଲିକ
ତାର୍ଲାକୋଟା, ମାଲକାନଗିରି



0 Comments