ତାଲା ବନ୍ଦ -୨ - ବିଶ୍ୱ ରଞ୍ଜନ ମହାନ୍ତି



 
ସତରେ ସମୟ ବଡ଼ ବଳବାନ l ତାହା ନହୋଇଥିଲେ ସମୟର କାଳଚକ୍ରରେ ସମଗ୍ର ବିଶ୍ୱ ଆଜି କରୋନା ଜନିତ ସଂକ୍ରମଣରେ କବଳିତ ହୋଇ ଅସହାୟ ମଣି ନଥାନ୍ତା l ବିଜ୍ଞାନର ଶୀର୍ଷରେ ପାଦ ଥାପିଥିବା ମାନବ ଜାତିଟା ବ୍ୟସ୍ତ ବହୁଳ କର୍ମମୟ ଜୀବନରୁ ଟିକେ ବି ଆରାମ ପାଉନଥିବା ମଣିଷଟି ଆଜି ଗୃହ ବନ୍ଦୀ ଜୀବନ ବିତାଉ ନଥାନ୍ତା l ଗୃହବନ୍ଦୀ କାହାପାଇଁ ଖେଳ ତ କାହାପାଇଁ କାଳ  l 

          ଏଇ ତାଲା ବନ୍ଦଟା ବି ମଣିଷ ସହ ଭେଦଭାବ କରିବାରେ କିଛି ପଛୁଆ ନୁହେଁ l କାହାପାଇଁ ପୁଷମାସ ତ କାହାପାଇଁ ସର୍ବନାଶ l ଏ କରୋନା ମହାମାରୀ ଆଉ ତା ସହିତ ତାଲା ବନ୍ଦ ଆମ ଭଳି ମଣିଷଙ୍କ ପାଇଁ ଗୋଟେ ଖଳନାୟକ l ଗୋଟିଏ ମୁହୂର୍ତ୍ତରେ ସବୁକିଛି ଛାରଖାର ହୋଇଯାଇଛି l ସମଗ୍ର ଦେଶ ଏବେ କରୋନା ମୟ, ସମସ୍ତଙ୍କ ମୁହଁରେ ତାହାରି ଚର୍ଚ୍ଚା l ଅସମ୍ଭବ ଭୟ ଓ ଆଶଙ୍କାର ବାତାବରଣ ସବୁଆଡେ l 

    ମାନବିକତା ଏବେ ଧ୍ବଂସ ମୁଖରେ l ନିଜ ବିନା ଅନ୍ୟ କାହାପାଇଁ କାହାର ବି ସମ୍ବେଦନଶୀଳତା ନାହିଁ କି ବିଶ୍ୱାସ ବି ନାହିଁ l କେବଳ ଅର୍ଥ ହିଁ ଅର୍ଥ ଚିନ୍ତା ଘାରିଛି ସଭିଙ୍କୁ l ଏପରି ସ୍ଥିତିରେ ବି କଳାବଜାରୀ ଲୋକ ଲାଭ କମାଇବାକୁ କୁଣ୍ଠାବୋଧ କରୁନାହାନ୍ତି l ମାନବିକ ମୂଲ୍ୟବୋଧର ଗଭୀର ଅବକ୍ଷୟ ଘଟିଛି ଦିନ କେଇଟା ରେ l 

       ଏଇ ତାଲା ବନ୍ଦ କାହାପାଇଁ ହୋଇଥିବ ସ୍ମୃତି ମଧୁରକ୍ଷଣ l ପ୍ରିୟଜନର ସାନିଧ୍ୟ ଲାଭରେ କିନ୍ତୁ ମୋ ପରି ମଣିଷଟିଏ ପାଇଁ ଅକଥନୀୟ ଅତ୍ୟାଚାର ଏବଂ ଅସହ୍ୟ ଦୁଃଖ ଭରା ଅନୁଭୂତି l ଭୟଙ୍କର ଦୁର୍ଦଶା ର ଜ୍ୱାଳା ଯେ କେତେ ଭୟଙ୍କର ଓ ସର୍ବଗ୍ରାସୀ ମର୍ମେ ମର୍ମେ ଅନୁଭବ କରିଛି ପ୍ରଥମ ଥର l ଅନିଶ୍ଚିତ ଭବିଷ୍ୟତକୁ ନେଇ କାଟୁଥିବା ପ୍ରତିଟି ମୁହୂର୍ତ୍ତ ବହୁ କୁଟୁମ୍ବି ପରିବାର ପ୍ରତିପୋଷଣ କରିବା କେତେଯେ କଷ୍ଟକର ତାହା ବର୍ଣ୍ଣନା କରିବା ବହୁତ ଯନ୍ତ୍ରଣା ଦାୟକ l 

       ଏଇଟା ମୋର ଅନୁଭବ, ଆମପରି ଖଟିଖିଆ ପରିଶ୍ରମୀ ଲୋକ ସଦାସର୍ବଦା ଲୁଟିଖିଆଙ୍କ ଦ୍ୱାରା ଶୋଷିତ l ଆମର ଶୋଣିତ ରେ ସେମାନେ ପ୍ରତିପାଳିତ l ଅଥଚ ଏ ଦୁର୍ଦ୍ଦିନରେ ଆମକୁ ରାସ୍ତାରେ ଠିଆ କରେଇଦେଇ ନିଜେ ଘରର ଚାରିକାନ୍ଥ ମଧ୍ୟରେ ସୁରକ୍ଷିତ l ହୃଦୟହୀନ ସମ୍ବେଦନଶୀଳ ଶୂନ୍ୟ ଏଇ ତଥାକଥିତ ଭଦ୍ରମୁଖା ପିନ୍ଧା ପୁଞ୍ଜି ଐରାବତ ମାନେ ଆମର ଦୁର୍ଦ୍ଦଶା ରେ ବି ଲୁଟୁଛନ୍ତି ପୈଶାଚିକ ଆନନ୍ଦ l ଦୁନିଆ ଦାଣ୍ଡରେ ପ୍ରତ୍ୟେକ ମଣିଷର ଅଭିନୟର ତ ମୂଲ୍ୟ ଅଛି କିନ୍ତୁ ମଣିଷଙ୍କ ଅସରନ୍ତି ଦୁଃଖ ଦୁର୍ଦ୍ଦଶା ରେ କିଛି ଉପଶମ ନାହିଁ l ଏଇ ତାଲା ବନ୍ଦ ହିଁ ଆଜି ଚିହ୍ନlଇ  ଦେଇଛି ମଣିଷ ରୂପୀ ଅମଣିଷ ମାନଙ୍କୁ...... l 
      ସଦାସର୍ବଦା ଜନ କୋଳାହଳ ପୂର୍ଣ୍ଣ ସବୁବେଳେ ନଜରକୁ ଆସିଥାଏ ଭୁବନେଶ୍ୱର ସହରର ମୁଖ୍ୟ ରାସ୍ତା l ରାଜ୍ୟ ସରକାରଙ୍କ ତାଲା ବନ୍ଦ ର କଡାକଡି ନିର୍ଦେଶ ସର୍ତ୍ତେ ଅମାନିଆ ହୋଇ ବିଭିନ୍ନ ବାହାନା ଦେଖାଇ ଘର ଲକ୍ଷ୍ମଣରେଖା ଡେଇଁ ପ୍ରାୟ ପ୍ରତ୍ୟେକ ଦିନ କିଏ ଗାଡ଼ିରେ, ସାଇକେଲ ରେ ନଚେତ ଚାଲି ଚାଲି ଯାଉଥାନ୍ତି l ଏହି ଖବର ପ୍ରାୟ ଟିଭି ନିୟୁଜ ରେ ବାରମ୍ବାର ପ୍ରସାରିତ ହେଉଥାଏ l ମୁଁ ବି ପ୍ରାୟ ସାମ୍ନାରେ ଦେଖେ l 

         କିନ୍ତୁ ଆଜି ନିସ୍ତବ୍ଧ ଲାଗୁଥିଲା ସମ୍ପୂର୍ଣ୍ଣ ରାସ୍ତା l ନଥିଲା ଗାଡିର ବିକଟାଳ ଶବ୍ଦ l ଯୁଆଡେ ଚାହିଁଲେ ରାଜରାସ୍ତା ଖାଁ ଖାଁ ଦିଶୁଥିଲା l ଭୁବନେଶ୍ୱର ପୁରା ବନ୍ଦ, କେବଳ ସହର ରାସ୍ତାକୁ କବ୍ଜା କରିଥିଲେ କିଛି ବୁଲା କୁକୁର, ଗାଇ ଓ ଷଣ୍ଡ l 
ସେମାନେ ମୁକ୍ତ ଭାବେ ବିଚରଣ କରିବାକୁ ସୁବିଧା ପାଇ ପାରୁଥିଲେ l ସେମାନଙ୍କୁ ଆକଟ କରିବାକୁ କେହି ନଥିଲେ l ସେମାନେ ବୋଧେ ଭାବୁଥିବେ ଏ ମାନବ ସମାଜ କୁଆଡେ ଗଲେ l ସବୁଆଡେ ଖାଲି ଖାଁ ଖାଁ l ଯେଉଁ ଛକରେ ରାତି ପାହିଲେ ଭିଡ଼ ଜମୁଥିଲା ଆଜି ଥିଲା ପୁରା ନିଃଶବ୍ଦ ଶୂନଶାନ l ମଝିରେ ମଝିରେ ଖାଲି ଶୁଭୁଥିଲା ପୋଲିସ ଗାଡି ଓ ଆମ୍ବୁଲାନସ ର ଶବ୍ଦ.... l 

          କରୋନା ଭୁତାଣୁର ସଂକ୍ରମଣ ଉପରେ ରୋକ ଲଗେଇବାକୁ ହେଲେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଏକ ମାତ୍ର ମାଧ୍ୟମ l ମହାମାରୀ କରୋନା ଠାରୁ ରକ୍ଷା ପାଇବା ପାଇଁ ଏହାହିଁ ଗୋଟିଏ ବାର୍ତ୍ତା l କିନ୍ତୁ ଏହି ମହାମାରୀ କରୋନା କୁ ଦୃଷ୍ଟିରେ ରଖି ସରକାର କିଛି ଛୋଟ ବ୍ୟବସାୟୀ ଙ୍କ ପାଇଁ କିଛି ସମୟ ନିୟମ କୋହଳ କରିଛନ୍ତି l ଯଥା -କ୍ଷୀର, ପନିପରିବା, ଗ୍ରୋସରୀ, ଫଳ, ସମ୍ବାଦ ପେପର ଇତ୍ୟାଦି ଇତ୍ୟାଦି..... l 

         ବାତ୍ୟା ପରଦିନ ଗୁରୁବାର ଘଟଣା ସେଦିନ ୨୭ /୫ /୨0୨୧ ତାରିଖ ହୋଇଥାଏ l ମୁଁ ସେଦିନ ୟୁନିଟ ୯ ସହରାଞ୍ଚଳ ଡାକ୍ତରଖାନା କୁ ଟୀକା ନେବାକୁ ଯାଇଥାଏ l ମୋର ପ୍ରଥମ ଡୋଜ ଥିଲା l ଟୀକାକରଣ ସରିଲା ପରେ ବାହାର କୁ ବାହାରିଲା ବେଳକୁ ଦିନ ପ୍ରାୟ ବାରଟା ହେବ l ଧୂ ଧୂ ଖାରବେଳ l ଗମ ଗମ ଦେହରୁ ବାହାରୁଛି ଝାଳ, ଉତ୍ତପ୍ତ ପାଣିଚିଆ ଖରା ସାଙ୍ଗକୁ ଗୁଳୁ ଗୁଳିର ପ୍ରଚଣ୍ଡ ପ୍ରକୋପ l ତାଲା ବନ୍ଦ ପାଇଁ ରାସ୍ତା ଘାଟ ପ୍ରାୟ ଜନଶୂନ୍ୟ l 

      ମୁଣ୍ଡରେ ଗାମୁଛା ଖଣ୍ଡେ ଭିଡି ଡାକ୍ତରଖାନା ପାଚେରୀ କୁ ତାର ସାଇକେଲ ଟିକୁ ଆଉଜେଇ ଦେଇ ଡାକ ଛାଡ଼ୁଛି ଜଣେ ବୃଦ୍ଧ..... 
ବାବୁ ପେପର ନିଅ.... ପେପର 
ଆଜି ଶେଷ ଆଶା ତାର, ଏଇ ଡାକ୍ତରଖାନା ଉପରେ... l 
ଏଠିକି ଯାହାହେଲେ ଲୋକ ଆସିବେ ଆଉ ଖବର କାଗଜ କିଛିଟା ବିକ୍ରିକରି ତା ପେଟର ଭୋକକୁ ସେ ଉପଶମ କରିବ l 
ବୟସକୁ କିଏ ବା ଭୋକ ସାମ୍ନାରେ ଦେଖେ l ତଥାପି ବୃଦ୍ଧକୁ ସତୁରି ପାଖାପାଖି ହେବ l
ସେ କି ଜାଣେ ଆଧୁନିକ ଦୁନିଆର ଲୋକ କାଗଜ ଧରି ପଢିବା ଅପେକ୍ଷା ମୋବାଇଲ ରେ ଇ -ସମ୍ବାଦ ପଢି ଦିଅନ୍ତି l 
     ତଥାପି ଆଶା, କିଛି ଲୋକ ଯଦି କିଣନ୍ତି ଦି ପଇସା ତ ରୋଜଗାର ହେବ l 
ଅନ୍ୟପଟୁ ସିକ୍ୟୁରିଟି ହୁଇସିଲ ମାରି ରଡି କରି ଆସୁଥାଏ ତୁମକୁ ମଉସା କଣ ରୋଗ ବିଷୟରେ ଜଣାନାହିଁ l ମୁହଁରେ ମାସ୍କ ନାହିଁ କି ରୁମାଲ ଟେ ବି ଦେଇନ ଯାଅ... ଚାଲି ଯାଅ l 

      ବୃଦ୍ଧ ବିଚରା ମୁଣ୍ଡର ଝାଳକୁ ପୋଛୁ ପୋଛୁ ଆଖିବି ପେଟର ଭୋକ ଜ୍ୱାଳାକୁ ସହି ନପାରି ଅଜାଣତରେ ଦିଟୋପା ଲୁହ ଅଦିନିଆ କାଳବୈଶାଖୀ ର ବର୍ଷା ପରି ଘନୀଭୂତ ହୋଇ ଝରିପଡ଼ୁଥାଏ ସିକ୍ୟୁରିଟି ର ତାଗିଦ ଶୁଣି.... l 

         ଆଉ ମନେମନେ କହୁଥାଏ,  କି ରୋଗ ହେଲା କେଜାଣି ପେଟ ପାଇଁ ଦାନା ମୁଠାଏ ବି ମିଳୁନି l କେତେଦିନ ଢୋକେ ପାଣି ଆଉ ଚୁଡ଼ା ମୁଠାଏ ରେ ଦିନ କଟିବ କେଜାଣି !!!
ସବୁ ସେଇ ଭଗବାନ ଙ୍କ ଇଛା !!

           ▪️ସମାପ୍ତ ▪️
      ବିଶ୍ୱ ରଞ୍ଜନ ମହାନ୍ତି 
      ନିମ ବସନ୍ତ, ଜଟଣୀ

Post a Comment

0 Comments