ଫକୀର ମୋହନ ସେନାପତି - ଶରତ ଚନ୍ଦ୍ର ମହାନ୍ତ




ଯୁଗଜନ୍ମା ସେନାପତି      ଧନ୍ଯ ତବ ଭାଷା  ପ୍ରୀତି 
   ଓଡିଆ ଭାଷା ସଂଗ୍ରାମେ ଅଗ୍ରସେନାନୀ, 
ଭାଷା ସୁରକ୍ଷା ନିମିତ୍ତ         ପ୍ରକାଶେ  ସମ୍ବାଦପତ୍ର
   ସାହିତ୍ୟ ପତ୍ରିକା ନାମ ବୋଧଦାୟିନୀ,
           ପୁଣ୍ଯାତ୍ମା ଫକୀର ମୋହନ,  
    ରଚିଲ କେତେ ଉପନ୍ୟାସ ଗଳ୍ପମାନ ॥

ଛ ମାଣ ଆଠ ଗୁଣ୍ଠ      ମାମୁଁ ଲଚ୍ଛମା ପ୍ରାୟଶ୍ଚିତ
   ଉପନ୍ୟାସେ ସାମାଜିକ ଚିତ୍ର ଚିତ୍ରିତ, 
ନାରୀଶିକ୍ଷା କୁସଂସ୍କାର     ଠକ ଭଣ୍ଡ ବ୍ଯଭିଚାର 
      ସବୁ ହୋଇଛି ବିଚାର ତହିଁ ଉଚିତ,
            ମହାଭାରତକୁ ସୃଜିଣ,
     ବ୍ଯାସକବି ନାମ ତୁମ୍ଭେ କଲ ବରଣ ॥

ରେବତୀ ଡାକମୁନସୀ    ପ୍ରଶଂସିତ ଗଳ୍ପରାଶି
    ସୃଜିଲ ତୁମ୍ଭେ କଥିତ ଲୋକ ଭାଷାରେ, 
ନାରୀଶିକ୍ଷା ଅଭିଯାନ    ଆରମ୍ଭିଲ ଏ ଚିନ୍ତନ
    ଦୂରେଇ ଅନ୍ଧବିଶ୍ବାସ ରେବତୀ ଗଳ୍ପରେ,
     ପାଇ ପେଟେଣ୍ଡ ମେଡିସିନ୍, 
    ସାବାଡ ହୋଇଲେ ସ୍ବାମୀ ମଦୁଆଗଣ ॥

କେନ୍ଦୁଝର ରାଜବାଟି    ନେଇଥାନ୍ତେ ଭାଗ ବାଣ୍ଟି 
    ହୋଇଥାନ୍ତା ମାଡ ବୃଷ୍ଟି ତୁମ୍ଭ ପିଠିରେ, 
ଧନ୍ଯ ତୁମ୍ଭେ ସେନାପତି  ତୀବ୍ର ତୁମ୍ଭର ଧୀମତି 
     ରଖିଲ ରାଜସଂପତ୍ତି ନିଜ ବୁଦ୍ଧିରେ,
         ଧନ୍ଯ କେନ୍ଦୁଝର ଦେଆନ,
   ଗାଉଛି କେନ୍ଦୁଝର ତବ ଯଶ ଗାନ ॥

ଧନ୍ଯ ଫକୀର ମୋହନ    ସୁତ ତୁଳସୀ ଲକ୍ଷ୍ମଣ
    ନାମ ଶୁଭ୍ର ଉଚ୍ଚାରଣ ଓଡିଆ ନଭେ, 
ନାମ ତବ ଇତିହାସେ     ଲିପିବଦ୍ଧ ସ୍ବର୍ଣ୍ଣାକ୍ଷରେ
   ପୁଣ୍ଯଶ୍ଳୋକ ସାହିତ୍ୟିକ ନୃପତି ଭାବେ, 
        ହେ ଜାତି ସୁଯୋଗ୍ଯ ସନ୍ତାନ, 
   ମନେ ରଖିଥିବେ କୀର୍ତ୍ତି ଓଡିଆ ଜନ ॥


         ଶରତ ଚନ୍ଦ୍ର ମହାନ୍ତ
        କେମ୍ପସଡା, କେନ୍ଦୁଝର 
      ଫୋନ୍ ନଂ- ୯୦୯୦୭୬୦୨୦୮
                      ୯୭୭୭୩୬୩୪୭୨

Post a Comment

0 Comments