ଆଜି ପଢୁଆଁଷ୍ଟମୀ l ଗାଁ, ସାହି, ପଡାରୁ ହଳଦୀ ପତ୍ରରେ ଏଣ୍ଡୁରି ପିଠାର ମହକ ଭାସି ଆସୁଛି l ଓଡ଼ିଶାର ପରମ୍ପରିକ ପର୍ବ ପ୍ରାର୍ଥମାଷ୍ଟମୀ l ପ୍ରଥମ ସନ୍ତାନ ପୁଅ ହେଉ ବା ଝିଅ ହେଉ ସେ ପଡ଼ୁଆ ହେବେ l ପିଲାଙ୍କ ଖୁସି କହିଲେ ନ ସରେ l କାରଣ ବାପା ମା' ପଡ଼ୁଆ କରିବା ସହିତ ମାମୁଁ ଆଜି ନୂଆ ବସ୍ତ୍ର ମିଠା ପିଠା ନେଇ ଆସନ୍ତି ଭଣଜା ଭାଣିଜୀଙ୍କୁ ପଡ଼ୁଆ କରିବାକୁ l କିନ୍ତୁ କୁନି ଋଷି ବସିଛି l କାନ୍ଦି କାନ୍ଦି ତାର ଆଖି ଦୁଇଟା ଫୁଲି ଗଲାଣି l ତା' ପାଇଁ ପ୍ରଥମାଷ୍ଟମୀରେ ନୂଆ ଡ୍ରେସ ହୋଇ ନାହିଁ l ମା' କମଳା ତାକୁ ଯେତେ ବୁଝାଇଲେ ବୁଝୁ ନାହିଁ l ଅତୀତ ଦିନର କଥାକୁ ମନେ ପକାଇ କାନ୍ଦୁଛି l ସେ ତାର ବାପାଙ୍କୁ ଝୁରୁଛି l
ନଦୀ ପାଖରେ କମଳା ଓ ରାଜୀବର ଘର l ଦୁଇ ବର୍ଷ ପୂର୍ବେ ପ୍ରବଳ ବର୍ଷା ହୋଇଥିଲା l ନଦୀ ବନ୍ଧ ଭାଙ୍ଗି ବନ୍ୟା ପାଣି ଗାଁ ଭିତରକୁ ଅର୍ଦ୍ଧ ରାତ୍ରିରେ ମାଡି ଆସିଲା l ସେହି ବନ୍ୟା ଜଳରେ ଗାଁର ବହୁ ଲୋକ ପାଣି ସୁଅରେ ଭାସି ଯାଇଥିଲେ l କେତେକ ଉଦ୍ଧାର ପାଇଲେ ତ କେତେକ ସଲୀଳ ସମାଧି ନେଲେ l ସେହି କାଳ ରାତ୍ରି ଥିଲା କାମଳlଙ୍କ ଜୀବନରେ ଅସରନ୍ତି ଅମାବାସ୍ୟାର ରାତ୍ରି l ସେହି ଜଳ ସ୍ରୋତରେ ଭାସି ଯାଇଥିଲେ, କାମଳର ସ୍ୱାମୀ ରାଜୀବ ଓ ପୁଅ ଶ୍ରୀକାନ୍ତ l କୌଣସି ମତେ ରକ୍ଷା ପାଇଯାଇ ଥିଲେ କମଳା ଓ ଆଠ ବର୍ଷର ଝିଅ କୁନି l ରାଜୀବ ଓ କମଳା ଦୁହେଁ କାମ କରି ଘର ଚଳାଉ ଥିଲେ l ଦୁଃଖେ ସୁଖେ ହସ ଖୁସିରେ ତାଙ୍କର ଦିନ କାଟି ଯାଉ ଥିଲା l କିଏ ଜାଣି ଥିଲା କାମଳର ସୁନା ସଂସାର ହଠାତ ଚୁନା ହୋଇ ଯିବ ? ବନ୍ୟା ପାଣି ଛାଡି ଯିବା ପରେ କମଳା ତାର ସ୍ୱାମୀକୁ ବହୁତ ଖୋଜା ଖୋଜି କଲା l ପାଇଲା ନାହିଁ l ପୁତ୍ର ସ୍ୱାମୀ ଦୁଇ ଜଣଙ୍କୁ ସେ ହରାଇ ବସି ଥିଲା l ଦୁଇ ଦିନ ପରେ ନଦୀ ପାଖ ଗଛ ଡାଳରେ ଲାଗିଥିଲା ସ୍ୱାମୀଙ୍କର ମୃତ ଦେହ l ପୁତ୍ର ଶ୍ରୀକାନ୍ତର ପତ୍ତା ନ ଥିଲା l କମଳା ହୋଇଗଲା ଭାଗ୍ୟ ହିନା l ତା' ଶଙ୍ଖା ସିନ୍ଦୂର ତା' ଠାରୁ ବହୁ ଦୂରକୁ ଚାଲିଗଲା l ତାକୁ ଚାରି ଆଡ଼
ଅନ୍ଧାର ରହିଲା l ଝାଟି ମାଟିର ଘର ତା' ର ନଦୀ ଜଳରେ ଧରା ଶ୍ରlୟୀ ହୋଇଥିଲା l ସ୍କୁଲ ଘରେ ତିନି ଦିନ ରହିବା ପରେ ନିଜ ଘରକୁ ଫେରିଲା l ନିଜ ଜାଗାରେ ମିଳି ଥିବା ଜରି ପଲିଥିନ ପକାଇ କିଛି ଦିନ ରହିଲା କୁନିକୁ ନେଇ l ତା' ପରେ ମାଟି ଘରକୁ ନିଜେ ସଜାଡ଼ିଲା l ଛୋଟ ଝିଅଟିକୁ ସାଙ୍ଗରେ ଧରି l ଚାରି ଘରେ କାମ କରୁଛି ଜୀବନ ବଞ୍ଚାଇବାକୁ l ଝିଅ ପଢୁଛି ଗାଁ ସରକାରୀ ସ୍କୁଲର ତୃତୀୟ ଶ୍ରେଣୀରେ l ଦିନକୁ ଦୁଇ ଓଳି ପେଟ ପୂରା ଖାଇବାକୁ ମିଳେନା l ଗାଁ ୱାର୍ଡ ମେମ୍ବର / ସରପଞ୍ଚ ଙ୍କୁ Rs ୨୦୦/--
ଦେଇ ପାରିଲାନି ବୋଲି ତାର ରେସନ କାର୍ଡ ( ବି. ପି. ଏଲ ) ହୋଇ ପାରିଲା ନାହିଁ l ତାକୁ ସରକାରୀ ସାହାଯ୍ୟରୁ ବଞ୍ଚିତ ହେବାକୁ ପଡୁଛି l
ଆଜି ପରା ଦିନରେ ସମସ୍ତଙ୍କ ଘର ହସ ଖୁସିରେ ଭରି ଯାଇଛି l ଆଉ କାମଳର ଘର ଶ୍ରାବଣର ଝଡି ବର୍ଷା ଲାଗି ରହିଛି l ମା ଝିଅଙ୍କର ଆଖିରୁ ଲୁହ ଶୁଖୁ ନାହିଁ l ମା କମଳା କୁନିକୁ ଠିକ ଭାବରେ ବୁଝାଇ ବି ପାରୁନି l କୁନିର ପୁରୁଣା ଡ୍ରେସକୁ କମଳା ସଫା କରି ରଖିଛି l ନୂଆ ଚାଉଳ, ନୂଆ ବିରିରେ ପିଠା କରିଛି l କିନ୍ତୁ କୁନି ଖାଉନି l କାନ୍ଦୁଛି ନୂଆ ଡ୍ରେସ ପାଇଁ l କୁନି କହୁଛି ମା' ତୁତ ମୋ ପାଇଁ ଡ୍ରେସ ଆଣି ଦେଲୁନି l ମାମୁଁ ବି ଆସିଲେ ନାହିଁ l ମୁଁ କଣ ଏ ବର୍ଷ ନୂଆ ଡ୍ରେସ ପିନ୍ଧିବିନି ? ମା କମଳା ଉତ୍ତର ଦେଇ ପାରୁନି l କୋହରେ ତାର ମନ ଅଶାନ୍ତ ହୋଇ ଉଠୁଛି l
କୁନିର ମାଇଁ କ୍ୟାନ୍ସରରେ ପୀଡିତ l ମାମୁଁଙ୍କର ବି ଦେହ ଭଲ ରହୁନି l ଶ୍ୱାସ ବେମାରଟା ଭାରି କଷ୍ଟ ଦେଉଛି, ଟିକେ ଥଣ୍ଡା ହୋଇ ଗଲେ l ଅସୁସ୍ଥତା ଯୋଗୁ ସେ ବି କମଳା ଘରକୁ ଆସି ପାରୁ ନାହାନ୍ତି l ବହୁ କଷ୍ଟରେ ଝିଅକୁ ବୁଝାଇ ଗାଧୋଇ ଦେଲା l ପାଦରେ ଅଳତା ପିନ୍ଧାଇ ଦେଲା l କପାଳରେ ଚନ୍ଦନ ଟିପା ଲଗାଇ ଦେଲା l ପିଢାରେ ବସାଇ ଧୂପ ଦୀପ ଜାଳି, ହଳଦୀ ଚାଉଳ ମସ୍ତକରେ ପକାଇ ଦେଲା l କହିଲା, ଯା ! ଠାକୁରଙ୍କୁ ପ୍ରଣାମ କରି ଆସିଲେ ପିଠା ଖାଇବୁ l ଆର ବର୍ଷକୁ ମୁଁ ତୋ ପାଇଁ ନିଶ୍ଚୟ ନୂଆ ଡ୍ରେସ କରିଦେବି l ମୋ ସୁନାଟା ପରା, ଏଥର ଏଇ ଡ୍ରେସରେ ଚଳେଇ ଦେ l କୁନି ମାର କଥା ମାନି ଠାକୁରଙ୍କୁ ପ୍ରଣାମ କରିବାକୁ ଗଲା l କହିଲା ! ଠାକୁରେ, ତୁମେତ ଭଗବାନ l ମା କହୁ ଥିଲା ତୁମେ ସବୁ କଥା ଶୁଣି ପାର l ସମସ୍ତଙ୍କ ଦୁଃଖ ଦୂର କର l ମୋ କଥା କାହିଁକି ଶୁଣି ପାରୁନ ? ମୋ ବାପା, ସାନ ଭାଇଙ୍କୁ କାହିଁକି ତୁମ ପାଖକୁ ନେଇଗଲ l ମୋ ବାପା ଥିଲେ ମୋ ପାଇଁ ନିଶ୍ଚୟ ନୂଆ ଡ୍ରେସ ଆଣି ଦେଇଥାନ୍ତେ l ଆମେ ସମସ୍ତେ ଖୁସିରେ ରହି ଥାନ୍ତୁ l
ଏତିକି ବେଳେ ମାମୁଁ ଚରଣଙ୍କର ପାଟି ଶୁଭିଲା l ମାମୁଁ ଘରେ ପଶୁ ପଶୁ ଡାକ ପକାଇଲେ କୁନି ! କୁନି! କୁନି ଖୁସି ହୋଇ ଦୌଡ଼ି ଗଲା
ତା' ମାମୁଁଙ୍କ ପାଖକୁ l ଯାଇ କୁଣ୍ଢାଇ ପକାଇଲା l ମାମୁଁ ତୁମେ ମୋ ପାଇଁ ନୂଆ ଡ୍ରେସ ଆଣିଛ ? ମାମୁଁ କହିଲେ ହଁ, ମୁଁ ତୋ ପାଇଁ ଡ୍ରେସ ଆଣିଛି l ମିଠା ପିଠା ବି ଆଣିଛି l ଆସିବା ଟିକେ ଡେରି ହୋଇ ଗଲା l ନେଲୁ ! ଏ ଡ୍ରେସଟା ପିନ୍ଧି ପକାଇଲୁ l ମୁଁ ଦେଖେ ତୋତେ କେମିତି ମାନୁଛି l କୁନି ମନରେ ଖୁସି କହିଲେ ନ ସରେ l ସଂଗେ ସଂଗେ ପିନ୍ଧି ମାମୁଁକୁ ପ୍ରଣାମ କଲା l ମାମୁଁ ତାକୁ କୋଳରେ ବସାଇ ଗେହ୍ଲ କରିଦେଲେ l
ଗାନ୍ଧିନଗର, ନବରଙ୍ଗପୁର




0 Comments