ଉତ୍କଳୀୟ ନାରୀ ପତି ବ୍ରତା ପରା
ଉଷା ବ୍ରତ କରି ଥାନ୍ତି
ସ୍ୱାମୀଙ୍କର ଆୟୁ ଦୀର୍ଘ ଜୀବି ହେଉ
ସାବିତ୍ରୀ ବ୍ରତ କରନ୍ତି l୧l
ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ହୁଅଇ
ସଧବା ନାରୀ କରନ୍ତି
ଦିନ ଦ୍ବିପ୍ରହରେ ଲଷ୍ମୀନାରାୟଣ
ପୂଜା କରିଣ ଥାଆନ୍ତି l୨l
ନଡ଼ିଆ କଦଳୀ ପଣସ ଖଜୁରୀ
ଗଜା ମୁଗ ତାଳସଜ
ହଳଦୀ ଚନ୍ଦନ ସିନ୍ଦୁର କଜ୍ଵଳ
ନୂଆ ଶଙ୍ଖା ଶାଢ଼ୀ ସଜ l୩l
ପୂଜା ସରିଗଲେ ଗୁରୁଜନଙ୍କର
ଆଶୀର୍ବାଦ ନେଇ ଥାନ୍ତି
ପତି ଦେବଙ୍କୁ ତ ପ୍ରଣାମ କରିଣ
ଫଳ ଆହାର କରନ୍ତି l୪l
କିମ୍ବଦନ୍ତୀ କହେ ମଦ୍ର ଦେଶ ରାଜା
ନିସନ୍ତାନ ହୋଇ ଥିଲେ
ବ୍ରହ୍ମାଙ୍କର ପତ୍ନୀ ସାବିତ୍ରୀ ଦେବୀଙ୍କୁ
ଯଜ୍ଞ ଆରାଧନା କଲେ l୫l
ଜନନୀ ସାବିତ୍ରୀ ସନ୍ତୁଷ୍ଟ ହୋଇଲେ
ସୁକନ୍ୟା ଆଶିଷ ଦେଲେ
ସଠିକ ସମୟେ କନ୍ୟା ରତ୍ନ ହେଲା
ସାବିତ୍ରୀ ନାମ ରଖିଲେ l୬l
ପ୍ରଥମ ଦେଖାରେ ସ୍ୱାମୀ ବରି ନେଲେ
ସାବିତ୍ରୀ ସତ୍ୟ ବାନଙ୍କୁ
ଏକ ବର୍ଷ ଆୟୁ ନାରଦ କହିଲେ
ଜାଣି ବିବାହ ତାହାଙ୍କୁ l୭l
ଜ୍ୟେଷ୍ଠ ଅମାବାସ୍ୟା ଶେଷ ଦିନ ଥିଲା
ସ୍ୱାମୀ ସଙ୍ଗେ ବନ ଗଲେ
ସତ୍ୟବାନ ବୃକ୍ଷ ଡାଳକୁ ହାଣନ୍ତେ
କଚାଡି ତଳେ ପଡିଲେ l୮l
ସାବିତ୍ରୀ ଜାଣିଲେ ସତ୍ୟବାନ ମୃତ୍ୟୁ
କୋଳରେ ଧରିଣ ଥିଲେ
ସ୍ୱୟଂ ଯମ ରାଜ କାଳ ଫାଶ ଧରି
ସତ୍ୟବାନ ପ୍ରାଣ ନେଲେ l୯l
ଯମ ପଛେ ପଛେ ସାବିତ୍ରୀ ଚାଲିଲା
ବହୁ ଦୂର ପଥ ବନ
ଯମ ରାଜ କହେ ସତ୍ୟବାନ ଛଡା
ଯାହା ମାଗ ହେବ ପୂର୍ଣ୍ଣ l୧୦l
ସାବିତ୍ରୀ କହିଲେ ଅନ୍ଧ ଶଶୁରଙ୍କୁ
ଚକ୍ଷୁ ରାଜ୍ୟ ମିଳି ଯାଉ
ଦ୍ଵିତୀୟ ବରରେ ଅପୁତ୍ରିକ ପିତା
ସନ୍ତାନ ଜନକ ହେଉ l୧୧l
ତୃତୀୟ ବରରେ ଶତ ପୁତ୍ର ହେଉ
ଏହି ଅଭିଳାଷା ମୋର
କିଛି ନ ଭାବିଣ ଯମ କହି ଦେଲେ
ତଥାସ୍ତୁ ହେଉ ତୁମର l୧୨l
ସାବିତ୍ରୀ କହିଲେ ସ୍ୱାମୀ ଚାଲି ଗଲେ
ଆଶୀର୍ବାଦ ଅକାରଣ
ନିରୁପାୟ ହୋଇ ଯମ ରାଜ ପରା
ଲେଉଟାଇ ଦେଲେ ପ୍ରାଣ l୧୩l
ଏ ପୂଜା ତ କଲେ ସୌଭାଗ୍ୟ ତ ମିଳେ
ଥିଲେ ତ ନିଷ୍ଠା ବିଶ୍ୱାସ
ପୁରାତନ କୁହ ଅବା ଆଧୁନିକ
ବ୍ରତରେ ନାରୀ ସନ୍ତୋଷ l୧୪l
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର l



0 Comments