ଯୁଗଳ ରୂପ ବର୍ଣ୍ଣନା- ଅଜୟ କୁମାର ମହାନ୍ତି



ଦେଖ କଳା ଚାନ୍ଦ ବାମରେ 
ଚାନ୍ଦ ବଦନୀ ଶୋଭା 
ଯୁଗଳ ମୂରତି ଦିଶେ ସଖୀ 
ଆହା କେଡେ ମନଲୋଭା। 
ଶ୍ୟାମ ଶୀରେ ଚୂଡ଼ା ଖଞ୍ଜା 
ରାଇ ଶୀରେ ବେଣୀ 
ଚୂଡ଼ା ଝଲମଲ କରେ 
ବେଣୀ ଅବା ଫଣୀ ।
ଅଧା ଅଙ୍ଗେ ଗଜମୋତି 
ଅଧା ବନମାଳା 
ଅଧା ଅଙ୍ଗ ଗୌର ତନୁ 
ଅଧା ଚିକ୍କଣ କଳା ।
ଚାହାଁ ଚାହିଁ ହସା ହସି 
ଧରା ଧରି ବାହୁ 
ଶରତ ପୂର୍ଣିମା ଚାନ୍ଦେ 
ଗ୍ରାସିଛି କି ରାହୁ ।
ଦୁହିଁଙ୍କର ମିଳନେ 
ଉପୁଜିଲା ପ୍ରେମ 
ଦରିଦ୍ର କୁଡ଼ିଆ ଘରେ 
ବରଷିଲା ହେମ। 
ଦୁହିଁଙ୍କ ଅଧରାମୃତ 
ଦୁହେଁ ପାନ କଲେ 
ସଖୀଗଣ ଦେଖି ସର୍ବେ 
ବିଭୋରିତ ହେଲେ। 

ଅଜୟ କୁମାର ମହାନ୍ତି 
ହରିପୁର, କବିରପୁର ,ଯାଜପୁର 

Post a Comment

0 Comments