ଜନମ ମରଣ ତୁମରି ସର୍ଜନା
ତୁମ ହାତେ ଲେଖା ଆୟୁ ,
ମାରିବାର ପୁଣି ଛଳନା କରୁଛୁ
କପଟୁଛ ମହାବହୁ ,,
ତୁଟିଯାଉ ମାୟା ତୁମରି ଇଛାରେ
ଦୁଃଖ ଯାଉ ଅପସରି ,
ସଂସାର ଜଞ୍ଜାଳ ତୁଟାଅ ଜୀବନୁ
ଅନୁତାପ ଯାଉ ସରି ,,
ପାପ ପୁଣ୍ୟ ସବୁ ତୁମରି କରମ
ଦୁନିଆଁକୁ ଆଖି ଠାର ,
ଚୋର ସାଜି କେବେ ଚୋରି କରୁଅଛ
ପୋଲିଶି ହୋଇ ବି ଧର ,,
ମା ହୋଇ କେବେ ମମତା ଦେଉଛ
ଶିଶୁ ହୋଇ କର ଅଳି ,
କାହା ଓଠେ କେବେ ହସ ହୋଇଅଛ
କାହାକୁ ଦେଇଛ ଜାଳି ,,
ସବୁରି ଜୀବରେ ତୁମେ ଚରାଚର ,
ତୁମରି ଇଙ୍ଗିତେ ସବୁ ,
ତୁମରି ଇଛାରେ ଉଁଏ ଯେ ସୁରୁଜ
ଅନ୍ଧାରକୁ କରେ କାବୁ ,,
ତୁମେ ହଁ ଭକତ ତୁମେହିଁ ଈଶ୍ୱର
ତୁମେ ଭକ୍ତି ନୈବେଦ୍ୟ ,
ତୁମେ ହିଁ ସୃଷ୍ଟି ବିନାଶକ ତୁମେ
ତୁମେ ହିଁ ଜୀବନ ଆଦ୍ୟ ,,
ତୁମେ ହିଁ ମୃତ୍ୟୁ , ପ୍ରାଣ ପିଣ୍ଡ ତୁମେ
ଶବର କବର ସ୍ଥାନ ,
ଜୁଇ ହୋଇ ତୁମେ ଜାଳୁଛ ତୁମକୁ
ତୁମେହିଁ ସର୍ବ ନାମ ,,
ତୁମେ ହିଁ ଶାନ୍ତି ତୁମେ ହିଁ ମୈତ୍ରୀ
ତୁମେ ଦୁଃଖ ଦୁର୍ବିପାକ ,
ତୁମରି ଇଛାରେ ହସୁଛି ଦୁନିଆଁ
ତୁମ ପାଇଁ କରେ ଶୋକ ,,,
ହରେରାମ ଦାସ
ବାଲେଶ୍ବର




0 Comments