ସଖା ସହୋଦର ପୀରତି ଅପାର
ଶ୍ରୀକୃଷ୍ଣ ସୁଦାମା ଠାରେ,
କାଳ କାଳ ଧରି ରହି ଅଛି କଥା
କାହିଁ ଦ୍ଵାପର ଯୁଗରେ।।
ବାଲ୍ୟ ବନ୍ଧୁ ପ୍ରୀତି ହୁଏ ନାହିଁ ଇତି
ମନ ଦୁଇ ଥିଲେ ମିଶି,
ଧନୀ ବା ଗରିବ ମନେ ନାହିଁ ଗର୍ବ
ହୃଦୟର ସ୍ନେହ ମିଶି ।।
ବନ୍ଧୁତ୍ୱ ବେଭାର କରିଛି ନିଜର
ଦୁଇ ମୁଠା ଖୁଦ ଭଜା,
ମନ ସଙ୍ଗେ ମନ ମିଶି ରହି ଥିଲେ
କିଏ ବା ରାଜା ପରଜା।।
ଗରିବ ବ୍ରାହ୍ମଣ ସୁଦାମା ସ୍ମରେଣ
ପ୍ରତି କ୍ଷଣେ କୃଷ୍ଣ ନାମ,
ଦର୍ଶନ ଆଶାରେ ମଥୁରା ପୁରକୁ
ପାଦେ କରିଲେ ଗମନ।।
ବନ୍ଧୁ ଆଗମନ ସେ ମଧୁସୂଦନ
ଦୂରରୁ ପାରିଲେ ଜାଣି,
ସିଂହାସନ ତେଜି ବନ୍ଧୁ ଆଲିଙ୍ଗନ
ପାଦ ପ୍ରକ୍ଷାଳନେ ପାଣି ।।
ଅଷ୍ଟ ପାଟ ବଂଶୀ ହେଲେ ହସା ହସି
ଦେଖି କୃଷ୍ଣଙ୍କ ବେଭାର,
ସବୁ କଥା ଶୁଣି ଶ୍ରୀକୃଷ୍ଣ ଙ୍କ ବାଣୀ
ଲଜ୍ଵା ପାଇଲେ ଅପାର।।
ହୃଦୟର ଭାବ ସଂସାରେ ଦୁର୍ଲ୍ଲଭ
କରିଦିଏ ଏକାକାର,
ଗର୍ବ ଅହଙ୍କାର କ୍ଷଣିକ ଭଙ୍ଗୁର
ଅଟେ ଏହି ସଂସାରର।।
କବି ରାମ ଚନ୍ଦ୍ର ମହାନ୍ତି
ଗଂଜାମ




0 Comments