ପାଦ ଚି଼ହ୍ନ - ବାସନ୍ତୀ ଲତା ଜେନା

     
ସମୁଦ୍ର କୂଳରେ ବାଲି ରେଣୁକାରେ 
       ଖାଲି ପାଦେ ଚାଲୁ ଥିଲି 
ସାଗର ଲହରୀ ମୋ ପାଦ ଚୁମିଲା 
      ଧୀରେ ତାକୁ ଚାହିଁ ଦେଲି   ll 

କହିଲି ଲୋ ଢେଉ କେଡେ ତୁ ସୁନ୍ଦରୀ 
       କେତେ ଖୁସିରେ ତୁ ଅଛୁ 
ନାଚି ନାଚି ତୁହି ବେଳା ଭୂମି ଆସୁ 
       ସଭିଙ୍କ ପାଦ ଧୋଉଛୁ    ll 

ସଭିଙ୍କ ଚରଣ ଧୋଇ ଧୋଇ ତୁହି 
      ହୋଇ ଅଛୁ ପୂଣ୍ୟମୟୀ 
ସାଗର ତୋ ପ୍ରେମୀ ଫୁଲି ଉଠେ ଛାତି 
       ତୋର ସ୍ନେହ ପ୍ରୀତି ପାଇ    ll 

ସାଗର ଲହରୀ ବେଳା ଭୂଇଁ ଛୁଇଁ 
      ଯାଏ ସାଗର ଗର୍ଭକୁ 
ସୁବର୍ଣ୍ଣ ବାଲୁକା ସମତଳ ହୁଏ 
      ପାଦ ଚି଼ହ୍ନ ଥାପିବାକୁ     ll 

ଭାରି ମଜ୍ଜା ଲାଗେ ପାଦ ଚି଼ହ୍ନ ଦେଖି 
        ଆଗକୁ ବଢି ମୁଁ ଯାଏ          
କିଛି ଦୂର ଅତିକ୍ରମ କଲା ପରେ 
       ପଛକୁ ଫେରି ମୁଁ ଚାହେଁ    ll 

ମନ ମୋର ହେଲା କିଛି ଲେଖିବାକୁ 
       ଗାଇବାକୁ ଲେଖା ଗୀତ 
ଉଚ୍ଚ ସ୍ୱରରେ ମୁଁ ଗୀତ ଗାଉ ଥିଲି 
       ଢେଉ ଆସି ହେଲା ମିତ    ll 

କହିଲି ଲୋ ଢେଉ ମୋ ସାଙ୍ଗରେ ଗାଆ 
      ଆଜିଠୁ ହୋଇବା ମିତ 
ନାଚିବା ଗାଇବା ଖୁସି ବାଣ୍ଟି ଦେବା 
      ଏ କଥା ଅଟଇ ସତ     ll 

ସ୍ନେହ ପ୍ରୀତିର ପ୍ରେମ ବୁଣି ଦେବା 
        ଦୁଇ ମିତ ଆମେ ହୋଇ 
ହିଂସା  ଦ୍ୱେଷ କ୍ରୋଧ ଛଡ଼ାଇଣ ନେବା 
        ସମସ୍ତଙ୍କ ପାଦ ଧୋଇ    ll 

ଶାନ୍ତିର ବାରତା କାନେ କହି ଦେବା 
          ନ ହେବେ ତ କେହି ଦୁଃଖି 
ସମୁଦ୍ର ବେଳାକୁ ଯିଏ ବି ଆସିବ 
          ସମସ୍ତେ ହୋଇବେ ସୁଖୀ   ll 

ବାସନ୍ତୀ ଲତା ଜେନା, ଶିକ୍ଷୟିତ୍ରୀ, 
ଗାନ୍ଧୀନଗର, ନବରଙ୍ଗପୁର
ମୋ :8658655979

Post a Comment

0 Comments