ଜୀବନରେ କିଛି ଦେଇନି ତୁମକୁ
କରିଅଛି ଖାଲି ଅଳି
ଆହେ ନିରାକାର ବ୍ରହ୍ମାଣ୍ଡ ଠାକୁର
ପୁରାଅ ମୋ ଭିକ୍ଷାଥାଳି।
ନର ପଶୁପକ୍ଷୀ କୀଟ ତରୁଲତା
ସବୁତ ତୁମରି ସୃଷ୍ଟି
ସଚରାଚରକୁ ପ୍ରତି ନିଶ୍ବାସରେ
ଦେଇଅଛ ଦିବ୍ଯଦୃଷ୍ଟି।
ତୁମରି ଆଦେଶେ ହୁଏ ଦିନରାତି
ପବନର ଆତଯାତ
କୋଇଲିର କଣ୍ଠେ ସ୍ବର ଭରିଅଛ
ବସନ୍ତେ ଗାଉଛି ଗୀତ।
ଫୁଲରେ ଭରିଛ ରଙ୍ଗର ପସରା
ଫୁଟୁଛି ଭଳିକି ଭଳି
ତୁମେ ସିନା ସୃଷ୍ଟି କରିଅଛ ସତ୍ଯ
ଦ୍ବାପର ତ୍ରେତୟା କଳି।
ବଣ ପରବତ ଅତଳ ସାଗର
ଭିଆଣ କରିଛ ଆହା
ସବୁରି ମୁଖରେ ଖାଦ୍ଯ ଯୋଗାଇଛ
ବଞ୍ଚିବାକୁ ଦେଇ ରାହା।
ଯାହା ଦେଖୁଅଛି ଯାହା ଶୁଣୁଅଛି
ସବୁତ ତୁମରି ଦାନ
ତୁମେ ଲୀଳାମୟ ଲୀଳା କରୁଅଛ
ପାଦତଳେ ଦିଅ ସ୍ଥାନ।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର, ନୟାଗଡ଼



0 Comments