ଅଧୁରା - ସୁବାସିନୀ ନିଶଙ୍କ


ସ୍ଵର୍ଣ ପାରିଜାତ ତୋଳି ଧରିଥିଲି 
          ପାପୁଲି ରୁ ଗଲା ହଜି
ମଧୁର ସ୍ବପ୍ନ କୁ ସାଉଁଟିଥିଲି ମୁଁ
         ଆଖି ଲୁହେ ଗଲା ଭିଜି
ପ୍ରୀତି ର ଫୁଲ ରେ ସଜେଇ ହେଲି ମୁ
             ପବନ ରେ ଗଲା ଝରି 
ଦୀପ ଶିଖା ଟିର ଆଲୋକ ଜାଳିଲି
              ଅନ୍ଧାର କୁ ଗଲା ଡରି
ଦୁନିଆ ଭିତରେ ଜୀବନ ଜୀଇଲି
              ତଥାପି ଲାଗିଲା ଏକା
ଯେଉଁ ସ୍ୱପ୍ନ ନେଇ ବାଟ ଚାଲୁଥିଲି
           ସ୍ବପ୍ନ ଦେଲା ମୋତେ ଧୋକା
ଖୁସି ଫଗୁଣ କୁ ଦେହ ରେ ମଖିଲି 
          ଶ୍ରାବଣ ରେ ଗଲା ଧୋଇ
ସୁଖ ସାଗର ରେ ପାରି ହେଉଥିଲି
          ହେଲା ସେ ଲୁହ ର ନଈ
ପୂର୍ଣିମା ଜହ୍ନ ର ଜ୍ୟୋସ୍ନା ରେ ଭିଜିଲି
          ଅମାବାସ୍ୟା ଗଲା ଛାଇ
ପରଦେଶୀ ବନ୍ଧୁ ଚାଲିଗଲା ଦେଶେ 
          ମିଠା ଦରଜ କୁ ଦେଇ
ମନ ର ଅବୁଝା ଝରକା କୁ  ଡେଇଁ
          ଆଖି ରେ ଥିଲା ମୋ ଲାଜ 
ସେଇ ଲାଜ କୁ ମୁଁ ସାଇତି ରଖିଲି
         ହେଲା ସେ ଆଖିର ବୋଝ
ଖୁସି ର ହାଟ ରୁ ସଉଦା କଲି ମୁଁ
          ମୁଠିଏ ଖୁସି ର ମୁଣି
ଖୁସି କିଣିବାକୁ ଅର୍ଥ ମୋ ନଥିଲା 
       ବସିଲି ମୁଁ ଦୁଃଖ କିଣି
ଅଳସୀ ଶ୍ରବଣେ ଓଦା ହେଉଥିଲି 
       ହେଲି ମୁଁ ବିଜୁଳି କନ୍ୟା
ସିନ୍ଧୁ ଲହରି ରେ ପାଦ ଧୋଉଥିଲି
         ହେଲା ଭୟଙ୍କରୀ ବନ୍ୟା
ଅମୃତ ବୁନ୍ଦା କୁ ପାନ କରୁଥିଲି କରୁ କରୁ
          ହେଲା ସେ ବିଷ ର ରସ
ଫୁଲ ର ସହରେ ପାଦ ରଖୁ ରଖୁ 
         ହେଲା ସେ କଣ୍ଟା ର ସେ
   ଆଖିଏ ଆଶାରେ ଚନ୍ଦ୍ରମା ଚାହିଁଲି
          ହେଲା ସେ ତ ମଲା ଜହ୍ନ
 ଅସଜଡ଼ା ମନ ସଜାଡୁ ଥିଲି 
          ଚୁନା ଚୁନା ହେଲା ମନ  l

ସୁବାସିନୀ ନିଶଙ୍କ 

Post a Comment

0 Comments