ବାବା ଚଉବର ଗୋସ୍ୱାମୀଙ୍କ କୃପା,
ଆଳୁପାଟଣା ଗ୍ରାମେ ନୁହେଁ ଅଛପା।
ଦୀନବନ୍ଧୁ ସେହି ଭକତଙ୍କ ପ୍ରିୟ ,
ତାଙ୍କ ଆଶିଷ ଲଭି ନରହେ ଭୟ।
ଚଉବର୍ଗଫଳ ଦାତା ପରା ସେହି,
ଧରାଧାମେ ତାଙ୍କ ତୁଲ ନୁହେଁ କେହି ।
କେତେ କୋଷଦୂରୁ ଆସନ୍ତି ଭକତ ,
ମାନସିକ ଭୋଗ କରନ୍ତି ସମର୍ପିତ ।
ଅବଧୂତ ସନ୍ଥ ବାବା ଚଉବର,
ଏ ପୀଠେ ରହିଛି ସମାଧି ତାଙ୍କର।
ଗାଦୀ ପାଶେ ଚିମୁଟା ତ୍ରିଶୂଳ ଅଛି ,
କଠଉ ସାଙ୍ଗକୁ ବଂଶୀ ବି ରହିଛି।
ମାଘଶୁକ୍ଳସପ୍ତମୀ ଯେବେ ଆସଇ,
ଭାଗବତ ପାରାୟଣ ଶୁଭିଥାଇ ।
ଏ ତିଥିରୁ ଯଜ୍ଞ ହୁଏ ଦଶ ଦିନ ,
ଗ୍ରାମକୁ ଆମିଷ ପ୍ରବେଶ ବାରଣ।
ଯଜ୍ଞ କୁଣ୍ଡେ ଘୃତ ଆହୁତି ଦେଇଣ,
ଜଗତର ହିତ ମନାସନ୍ତି ଜାଣ ।
ଆବାଳବୃଦ୍ଧବନିତା ନିଷ୍ଠା ଭରି,
ଯଜ୍ଞବ୍ରତ ପାଳି ଚିତ୍ତ ଶୁଦ୍ଧ କରି ।
ମହାଯଜ୍ଞ ସୁଫଳ ମନାସି ମନେ,
କମ୍ପାନ୍ତି ସେ ଧାମ ଭଜନ କୀର୍ତ୍ତନେ।
ସେ ଚଉବରଙ୍କ ଯଜ୍ଞର ସୁଫଳ,
ପାଇବାକୁ ଭକତ ମନ ବ୍ୟାକୁଳ।
ଯେତେଦିନ ଧରାଧାମେ ଅଛି ମୁହିଁ,
ମୋହରି ଭକତି ଭାବ ଥାଉ ରହି।
ତୁମରି ଆଶିଷ ବୀଜ ମୁକତିର,
ହେ ଦୟାସାଗର ବାବା ଚଉବର।
ପ୍ରତିଭା ସମ୍ମାନ ସମିତି ରହିଛି,
ମହାଯଜ୍ଞ ବିଶେଷାଙ୍କ ପ୍ରକାଶୁଛି।
ପ୍ରତିଭା ମାନଙ୍କୁ କରି ନିରୂପଣ,
ଏ ପୀଠେ ଦିଏ ଉପଯୁକ୍ତ ସମ୍ମାନ।
ପ୍ରତିଭା ବିଶେଷାଙ୍କ ସବୁବର୍ଷ ଆସୁ,
ବାବାଙ୍କ ଅଖଣ୍ଡ ମହିମା ପ୍ରକାଶୁ।
ବାଦୀପାଲା ସବୁଥର ହେଉଥାଉ,
ଯଜ୍ଞର ଚରୁ ସଭିଙ୍କୁ ମିଳୁଥାଉ ।
ବାବାଙ୍କ ପୟରେ ପଶିଲେ ଶରଣ,
ଦୁଃଖଶୋକ ଦୂରାଏ ଜୀବନୁ ଜାଣ।
ମୁହିଁ ଅଧମ ଅଟଇ ଅକିଞ୍ଚନ ,
ବାବାଙ୍କ ମହିମା କରିଲି ବର୍ଣ୍ଣନ ।
ଚିଲିକା ନୋଡାଲ ହାଇସ୍କୁଲ, ପୁରୀ
୯୩୩୭୮୦୦୫୬୫



0 Comments