ଭକ୍ତ ଓ ଭଗବାନ - ନିବେଦିତା ମହାପାତ୍ର


ନିରାକାର ପରଂବ୍ରହ୍ମ ଆହେ ଶ୍ରୀହରି
ଅନାଥ ଜନଙ୍କ ନାଥ ବିଶ୍ବ ବିହାରୀ
ଭକତ ବାନ୍ଧବ ବୋଲି ପଡୁଛି ହୁରି
ଭାବେ ଡାକିଲେ ମଣିମା ଶୁଣ ଗୁହାରି।

ବିପଦେ ଡାକିଲା ଘୋର ବନେ ମୃଗୁଣୀ
ରକ୍ଷାକର ରକ୍ଷାକର ହେ ବେଣୁପାଣି
ଅଭୟ ଦାନ ପାଇଲା ନିରୀହ ପ୍ରାଣୀ
ଦେଖିଲା ସ୍ବନୟନେ ଯେବେ ନୀଳମଣି।

ଡାକ ଦେଲା ଗଜ ଘୋର ଜଳରେ ଥାଇ
ନକ୍ର ନାଶନେ ଉଦ୍ଧାର ଜଗତ ସାଇଁ
ଭକ୍ତ ପ୍ରାଣ ରଖି ଭକ୍ତ ଉଦ୍ଧାର ପାଇଁ
ରଖିଲ ଜୀବନ ତା' ଚକ୍ର ପେଶି ଦେଇ।

ଭକ୍ତ ସାଲବେଗ ସେ ଜାତିରେ ଯବନ
ଇଚ୍ଛା କରିଲା ଦେଖିବ ରଥେ ବାମନ
କଷ୍ଟ ହେଲାରୁ ପାରି କରିବା ଯୋଜନ
ଆକୁଳେ ଡାକିଲା ଟିକେ ରୁହ ମୋହନ।

ପୂର୍ଣ୍ଣ କରିବା ପାଇଁ ତାଙ୍କ ମନୋରଥ
ବାଟରେ ଅଟକିଲା ନନ୍ଦିଘୋଷ ରଥ
ପ୍ରତୀକ୍ଷା କରିଣ ରହିଲ ଜଗନ୍ନାଥ
ଅତିକ୍ରମ କରି ଆସିବା ଯାଏଁ ପଥ।

ତୁଚ୍ଛ କରି ଦୁର୍ଯ୍ୟୋଧନର ରାଜଭୋଗ
ବିଦୁର ଘରେ ଖାଇଲ ପଖାଳ ଶାଗ
ଖୁଦ ଦେଇ ସୁଦାମାର ଫିଟିଲା ଯୋଗ
କୃପା ପାଇ ତବ ଅର୍ଜିଲା ସୁଖ ସଂଭୋଗ।

ଦାସିଆ ବାଉରୀ ଭାବେ ଦେଲା ନଡିଆ
ହାତ ବଢାଇଣ ନେଲ ନିଳାଚଳିଆ
ବନ୍ଧୁ ମହାନ୍ତିକୁ ଯାଚି ଭୋଗ ଥାଳିଆ
ଉଜ୍ଜିବିତ କଲ ତୁମ ବନ୍ଧୁ ପଣିଆ।

ବଳରାମ ଦାସ ତୁମ ଶ୍ରେଷ୍ଠ ଭକତ
ସେବକଙ୍କ ଦ୍ଵାରା ହୋଇ ଅପମାନିତ
ନିଷ୍କାମ ଭକ୍ତିରେ ହୋଇଣ ବିହ୍ଵଳିତ
ସାଗର ବାଲିରେ କଲେ ରଥ ନିର୍ମିତ।

ଭକ୍ତର ଅପମାନ ନ ପାରିଲ ସହି
ହୃଦୟର ଭାବ ବୁଝିଲ ଭାବଗ୍ରାହୀ
ବଡ଼ଦାଣ୍ଡ ବଡରଥେ ନ ପାରି ରହି
ଆସିଲ ବାଲି ରଥ ହୋଇଥିଲା ଯହିଁ।

କପିଳେଶ୍ୱର ପୁର ଜଗନ୍ନାଥ ଦାସ
ଭାଗବତ ଗାଇ ପାଉଥିଲେ ସନ୍ତୋଷ
ଖୋଲିବାକୁ ତାଙ୍କ ରାଜ ଦଣ୍ଡର ଫାଶ
ନାରୀ ଶରୀର ପାଇଲେ ହୋଇ ପୁରୁଷ।

ସିଦ୍ଧ ସାଧକ ଶ୍ରେଷ୍ଠ କବି ଜୟଦେବ
ଚିନ୍ତିଲେ ଛନ୍ଦେ ବର୍ଣ୍ଣିବେ ଗାରିମା ତବ
ରାଧାକୃଷ୍ଣଙ୍କର ଅମର ପ୍ରେମ ଭାବ
କୃପାରୁ ଗୀତ ଗୋବିନ୍ଦେ ହେଲା ସମ୍ଭବ।

ବଙ୍ଗଳାର ଭକ୍ତ ପ୍ରବର ଶ୍ରୀଚୈତନ୍ୟ
କୃଷ୍ଣ ନାମ ମହାମନ୍ତ୍ର କରି କୀର୍ତ୍ତନ
ଅଣସରେ ଆସି କରିଲେ ଅଭିମାନ
ଅଲାରନାଥ ରୂପେ ଦେଲ ଦରଶନ।

ଧ୍ରୃବ ପ୍ରହଲ୍ଲାଦ ବାଲ୍ୟ ଚପଳତାରେ
ଭଜିଲେ ତୁମ ନାମ ଶ୍ରଦ୍ଧା ଭାବନାରେ
ବସାଇ ଦେଲ ନେଇ ଦିବ୍ୟ ଆସନରେ
କୀର୍ତ୍ତି ବଢିଲା ତାଙ୍କ ବିଶ୍ବ ଭୁବନରେ।

ଯୁଗେ ଯୁଗେ କେତେ ଯେ ସ୍ବରୂପକୁ ଧରି
ଆସ ମର୍ତ୍ତ୍ୟ ମଣ୍ଡଳେ ସାଜି ଅବତାରୀ
ଭକ୍ତ ମାନ ରଖିବାକୁ ମୂରଲୀଧାରୀ
କିଏ ବା କୁହ ଅଛି ଆଉ ତୁମ ପରି।

ଯାହା ମନରେ ଅଛି ଭାବନା ଯେପରି
ତାହା ପାଇଁ ତୁମେ ଲୀଳା କର ସେପରି
ଅବର୍ଣ୍ଣନୀୟ ତୁମେ ବୈକୁଣ୍ଠ ବିହାରୀ
ମୁଁ ଛାର କାହିଁ ବୁଝିବି ମହିମା ତୁମରି।


ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0 Comments