ଗରିବର ଫୁଙ୍ଗୁଳା ଶରୀରକୁ ନେଇ
ଚିତ୍ର ଆଙ୍କୁଛତ ଆଙ୍କ,
କବିତା ଲେଖୁଛତ ଲେଖ
ରାଜନୀତି କରୁଛତ କର
ମନଇଛା ନିଜର ପ୍ରତିଷ୍ଠା ପାଇଁ
ଯାହାବି ଇଚ୍ଛା କରିପାର।।
ତାର ପରବାୟ ନାହିଁ
ତାକୁ ତମେ କଣ ଯେ ଦେଇଛ ?
ତା ପାଇଁ କଣ କରିଛ ?
ସେ ପରା ଜନ୍ମରୁ ପ୍ରତିଜ୍ଞା ବଦ୍ଧ
ଅନ୍ୟର ସୁଖ ପାଇଁ
ନିଜ ରକ୍ତକୁ ପାଣି ଫଠାଇ
ଅନ୍ୟକୁ ସଭ୍ୟ ସମାଜରେ
ସମ୍ମାନ ଦେବା ତାର ଧର୍ମ।
ସେ ତ କେବେ ସମ୍ମାନ ଚାହିଁନି
କି ଚାହିଁବବି ନାହିଁ ।
ସେ ସର୍ବଦା ନିଜକୁ ଜଳାଇ
ନିଜେ ଦୀପଶିଖା ହୋଇ
ଅନ୍ୟକୁ ଆଲୋକ
ଦେଖାଇବଖ ତାର ଧର୍ମ ହୋଇଯାଇଛି !
ତାକୁ ମୃତ୍ୟୁର ଭୟ ଦେଖାଉଛ
ଯେ ବଞ୍ଚିଥାଉଥାଉ ବାର ବାର ମରିଛି
ଯିଏ ତାର ନିଜର ମୃତ୍ୟୁ କୁ
ନିଜ ଆଖିରେ ଦେଖିଛି
ତାକୁ କ'ଣ ତମେ ମାରିବ ?
ସେ ମୃତ୍ୟୁଞୟ ।।
ଭଦ୍ର ସମାଜର ସଭ୍ୟତା ଶିଖାଇ
ନିଜେ ମରି ଅନ୍ୟକୁ ବଞ୍ଚେଇବାର
ପ୍ରୟାସ କରୁଛି ଯିଏ
ତୁମ ପରିଧାନ କରିଥିବାସୁନ୍ଦର ପରିପାଟୀ
ଚକ୍ ମକ୍ ଭିତରେ
କେବେ ଥରେ ସେହି ପ୍ରସ୍ତୁତ କାରୀଗର
ରୂପକୁ ଦେଖିଛ ?
ତମେ ରହୁଥିବା ସେହି ନଭଶ୍ଚୁମ୍ବୀ ଅଟ୍ଟାଳିକାର
ଇଟା ବାଲି ଗୋଡ଼ି ମଧ୍ୟରେ
କେବେ ନିରେକ୍ଷି ଚାହିଁଛ ?
ପ୍ରତ୍ୟେକ ଇଟାପଥର ବାଲିଗୋଡିରେ
ନିର୍ମିତ ଦେବତା ଘର ମନ୍ଦିରକୁ
କେବେ ପଚାରି ବୁଝିଛ ?
ତୁମେ ବାବୁ ସାଜି ଗାଡିମଟର ପେ଼ ପା କରି
ଦ୍ରୁତ ବେଗରେ ଧାଇଁ ଧାଇଁ ଯାଉଥିବା
କଳା ମଚ୍ ମଚ୍ ଅଙ୍କା ବଙ୍କା ପିଚଙ ରାସ୍ତାକୁ
କେବେ ପଚାରି ବୁଝିଛ ?
ତୁମକୁ ଭଦ୍ର ସଜେଇ
ନିଜକୁ ପିଚୁଭଳି ତରଳାଇ
ନିଜର ବିନ୍ଦୁ ବିନ୍ଦୁ ରକ୍ତକୁ
ଝାଳ କରି ବୁହାଇ ଦେଇଛି କିଏ
କେବେ ତାର ହିସାବ ରଖିଛି ?
ତମେ ଚିହ୍ନିନ
ତମେ ତାର ହିସାବ ରଖିନ
ତମେ ତାର ଠିକଣା ଖୋଜିନ ।
ତମେ ପାରିବନି
ତମେ ପାରିବନି ତାର ହିସାବ ରଖି
ତୁମ ମୋଟା ଡାଏରୀ ରେ ହେଉ ବା
ଯାନ୍ତ୍ରିକ କମ୍ପ୍ୟୁଟର ରେ।।
କାରଣ, ସେ ପରା ତୁମ ଆଖିରେ
ଟଙ୍କିକିଆ ମଣିଷ ,
ସେ ପରା ତୁମ ଆଖିରେ
ମଣିଷ ସମାଜରେ ଇତର ମଣିଷ
ତାକୁ ତୁମ ଡାଏରୀ ବା ଲାକ୍ଟପ୍ ସ୍ଥାନ ଦେଇ
ଲିପିବଦ୍ଧ କରନ୍ତା କିପରି ?
ତମେ କିଏ ତାର ପରିଚୟ ଦେବାକୁ ?
ସେ ପରା ନିଜେ ନିଜର ପରିଚୟ
ସେ ତୁମକୁ ସମାଜ ଆଖିରେ
ପରିଚୟ କରାଇବା ମଣିଷ ,
ତୁମକୁ ଭଦ୍ରତା ଶିଖାଇବା ମଣିଷ,
ତମେ କିଏ ପରିଚୟ ଦେବ ତାର ?
ସେ ନିଜେହିଁ ନିଜ ପରିଚୟ।।
କରୁଣାକର ମଲିକ
ତାର୍ଲାକୋଟା, ମାଲକାନଗିରି



0 Comments