ବାବୁ ମା'ଙ୍କ ଛେନା କେକ୍ - ପ୍ରଶାନ୍ତ କୁମାର ହୋତା



ଆଶା କରିଥିବା ଜିନିଷ ଯେତେବେଳେ ଆଶା ଅନୁରୂପ ହେଇ ପାରେ ନାହିଁ ନିରାଶାର ବ୍ୟର୍ଥତା ସେତେବେଳେ ମଣିଷକୁ ବିରୋଧାଭାସ ରେ ଭାରାକ୍ରାନ୍ତ କରି ଦିଏ । ତାକୁ ଆଉ କିଛି ଦିଶେ ନାହିଁ। ସେ କେବଳ ଭାବିବାକୁ ଲାଗେ ତା ପ୍ରତି ବହୁତ ଅନ୍ୟାୟ ହେଇଛି। ସେହି ଅନ୍ୟାୟ ବିଷୟରେ ପଦେ ଅଧେ କାହା ସହିତ ଆଳାପ ହେଇଗଲେ ମନରୁ କିଛି ସମୟ ପାଇଁ ଅବସାଦ ମେଣ୍ଟି ଯାଏ। ମନରେ ସନ୍ତୋଷ ଟିକିଏ ଭରି ଆସେ।

ହରିଆ ସେହି ଆଶାରେ ସଉଦା କିଣି ସାରି ଏପଟସେପଟ ହେଇ ଅନାଉଥିଲା। କେହି ଗୋଟାଏ ସାଥି ମିଳିଗଲେ ମନରେ ଚାପି ହେଇ ରହିଥିବା ବେଦନା ଯୁକ୍ତ କଥା ଗୁଡାକ ସେ ବଖାଣି ଦିଅନ୍ତା। ପର ପ୍ରଶଂସା  ଆନନ୍ଦ ଦେଉ ନ ଦେଉ ପର ନିନ୍ଦା ରୁ ନିଃସନ୍ଦେହ ଆନନ୍ଦ ମିଳେ।

ହରିଆ ଦେଖିଲା ଗୋପୀନନା ତାର ଦୁଇ ହାତରେ ଦୁଇଟା ବ୍ୟାଗ ଧରି ତାରି ଆଡକୁ ଆସୁଛି। ମନଟା ତାର ଆସନ୍ନ ସୁଖର ଆଶାରେ ଆନନ୍ଦିତ ହେଇ ଉଠିଲା ।
ଉଦାସ ହେଇ ଯାଇଥିବା ମନଟା ପୁଣି ଥରେ ସୁଖର ଲହରୀ ରେ ନାଚିବାକୁ ଲାଗିଲା ।
ଗୋପୀନନା ପାଖକୁ ଆସୁ ଆସୁ ଭଲକରି ଓଳିଗିଟେ ହେଇ ହରିଆ ପଚାରିଲା - ନନା କେମିତି ଅଛ। ଆସ ଏଇଠି ବସି ଚାହା ବି ପିଇବା କଥା ବି ହେବା। ଘରେ ସମସ୍ତେ ଭଲ ତ!

- ହଁ ରେ ହରିଆ ସେମିତି ଅଛି। ଆମର ଆଉ ଭଲ ମନ୍ଦ କଣ। ଚୁକ୍ତି ଭିତ୍ତିକ ଚାକିରିର ଦରମା କେତେ ଯେ ଆମେ ପୁଣି  ଭଲର ସ୍ଵପ୍ନ ଦେଖିବୁ। କୌଣସି ପ୍ରକାରେ ଖାଇ ପିଇ ବଞ୍ଚିଯିବା କଥା। ଆମେ ତ ଏଠି ବାବୁ ମା ଘରେ ଅଛୁ ବୋଲି ଟିକେ ଭଲରେ ଅଛୁ । ଯୋଉମାନେ ଅଫିସରେ ଅଛନ୍ତି ତାଙ୍କ ଗଞ୍ଜଣା ତ ଆମଠୁ ଆହୁରି ଅଧିକା। ହୋଉ ଛାଡ, ତୋ ଖବର କଣ କହ।
ହରିଆ ସୁଯୋଗ ଖୋଜୁଥିଲା କହିବା ପାଇଁ।  ନିଜ ମନ ତଳେ ଚାପି ହେଇ ରହିଥିବା ବେଦନାକୁ କଥାରେ ପ୍ରକାଶ କରି ନିଜ ସନ୍ତପ୍ତ ହୃଦୟକୁ ଶୀତଳ କରିବା ପାଇଁ ସେ ବ୍ୟାକୁଳ ହେଉଥିଲା ।  ବିଳମ୍ବ ନକରି ହରିଆ  କହିଲା - ବୁଝିଲ ଗୋପୀନା!  ମା'ଙ୍କ ପାଖରେ ଥିଲେ କଣ ହେବ। ତାଙ୍କ ପାଖରେ କଣଟା ଭଲ ମୁଁ କିଛି ଜାଣି ପାରୁନି। ଏତେ ହୀନ ପ୍ରକୃତି ର ଲୋକ ସେ ମା ଆମର ଯେ  କଣ କହିବି।

ଗୋପୀନା ସହାନୁଭୂତି ଦେଖାଇ ପଚାରିଲେ - କଣ ହେଲା। ଏତେ ମନ ଖରାପ୍। ଘରେ ଯାହା ରନ୍ଧା ବଢା ହେଉଛି ତୋତେ କଣ ଖାଇବାକୁ ମିଳୁନି କି।
- ଖାଇବାକୁ ଆଉ ମିଳନ୍ତାନି କି!
- ଦରମା ତ ମିଳୁଛି, ଖାଇବାକୁ ବି ମିଳୁଛି। କଣ ଗାଳି ମନ୍ଦ ବେଶି କରୁଛନ୍ତି କି?
- ନା ନା। ମିଛ କାହିଁକି କହିବି। ଗାଳି ମନ୍ଦ ବି ସେମିତି କରୁ ନାହାନ୍ତି। ଥରେ କପ୍ ପଡି ଭାଙ୍ଗି ଯାଇଥିଲା ବୋଲି ମାଆ ପାଟି କରୁଥିଲେ ଯେ ବାବୁ ଆସି କହିଲେ, ଥାଉ ପାଟି କାହିଁକି କରୁଛ। କାମ କଲା ଲୋକ ର ଥରେ ଅଧେ ସେମିତି ହେବ। ତାପର ଠାରୁ ମାଆ ଆଉ କେବେ ପାଟି କରି ନାହାନ୍ତି।
- ଏତେ ଆରାମରେ ଥାଇ କି ବି ତୁ ତାଙ୍କୁ ହୀନ ପ୍ରକୃତିର କହୁଛୁ। ତୋତେ ଭାଗ୍ୟ ବାମ ହେଲାଣି। ଦଇବ କୋଉ ଦିନ ଦାଉ ସାଧିବ ମନେ ରଖିଥା।
- ତମେ ଏମିତି କଣ କହୁଛ ଗୋପୀନା। ତମେ ତ କଥା ଅଧା ଶୁଣିଲ। ମୋତେ କଥା ପୁରା କରିବାକୁ ଦିଅ।
- ହୋଉ ତୁ କହ, ମୁଁ ଶୁଣୁଛି।
ହରିଆ କହିଲା - ବୁଝିଲ ଗୋପୀନା। ତମେ ଯାହା କହୁଛ ସେଇଟା ସମସ୍ତେ ଦିଅନ୍ତି। କୋଉ ବଡ କଥାଟେ ନୁହେଁ । ତମେ କଣ ତାଙ୍କ ଘରେ ଯାହା ହେଉଛି ଖାଉନ। ଖାଇବାଟା କଣ ଗୋଟାଏ କଥା। ଯାହା ଘରେ କାମ କଲେ ବି ମିଳିବ। ଅସଲ କଥା ସେଠି ନୁହେଁ। ଅସଲ କଥା ହେଉଛି ବାବୁ ବଡ ଅଫିସର ତ, ତାଙ୍କ ଘରକୁ ଯିଏ ଯେତେବେଳେ କିଛି କାମ ନେଇ ଆସେ ସାଙ୍ଗରେ ଛେନା କେକ୍ ନେଇ କି ଆସନ୍ତି। ଏତେ ସୁନ୍ଦର ଯେ ଦେଖିଲେ ଲୋଭ ଲାଗିବ। ଅନ୍ୟ ମିଠା ତାଙ୍କ ଘରକୁ ପ୍ରାୟ ଆସେନି। ବାବୁଆଣୀ ଟା ଭାରି ମିଠା ଖାଇ। ସେଥିରେ ପୁଣି ଖାଲି ଛେନା କେକ ଖାଇବ। ସମସ୍ତେ ଜାଣି ଯାଇଛନ୍ତି। ତେଣୁ ଯିଏ ଆସିଲା ତାକୁ ହିଁ ନେଇକି ଆସିଲା।
- ତୋତେ ଟିକେ କେବେ ଦେଇ ନାହାନ୍ତି  କି? ଗୋପୀନା ହସି ଦେଇ ପଚାରିଲା।
ହରିଆ ବି ହସି ଦେଇ କହିଲା ସେଇ କଥା ତ - ଏବେ ଯାହା ହେଉ ଧରି ପାରିଲ ଗୋପୀନା। ତାଙ୍କ ଘରେ ଫ୍ରିଜ ଭିତରେ ସଦାବେଳେ କିଲେ ଦି କିଲେ କେକ ଟ୍ରେରେ ସୁନ୍ଦର ଭାବରେ ସଜା ହେଇକି ଥିବ। ମୋର ଦେଖିଲେ ବହୁତ ଲୋଭ ହୁଏ।

- ସତରେ କଣ ତୋତେ ଦିଅନ୍ତିନି। ଗୋପୀନା ଆଉଥରେ ପଚାରିଲେ। ଅଳ୍ପ ଟିକିଏ ତ ଦେଉଥିବେ। ଇଛା ଟା ନପୁରିଲେ ମନଟା ଭାରି ଆମ୍ବିଳା ଆମ୍ବିଳା ଲାଗେ।

- ସେଇ କଥା ତ ! ମୋତେ କେତେ କଷ୍ଟ ହେଉଥିବ ଚିନ୍ତା କର।
ମୋତେ ଥରେ କହିଲେ ତୋ ପାଇଁ ଅଧ କିଲେ ହେବ ଛେନା କେକ ରଖି ଦେଇଛି, ଗଲା ବେଳେ ଘରକୁ ନେଇଯିବୁ। ମୋ ମନଟା ସେଦିନ ଏତେ ଖୁସି ହେଇଗଲା ଯେ ଗୋପୀନା ତମେ ଭାବି ପାରିବନି। ମୁଁ ଭାବିଲି ମାଆଙ୍କ ର ଏମିତି ପରିବର୍ତ୍ତନ ହେଲା କେମିତି। ବାବୁ ଆଉ ମୋ ମନ କଥା ଜାଣି ମାଆଙ୍କୁ କିଛି କହିଲେ କି! ଫେର୍ ଭାବିଲି ବାବୁ ତ ଟୁରରେ ଯାଇଛନ୍ତି ସେ କେମିତି ମାଆଙ୍କୁ କହିବେ। ଯାହା ବି ହେଉ ମାଆଙ୍କ ମନରେ ଭଗବାନ ବିଜେ କରିଛନ୍ତି ଭାବି ସେଦିନ ରାତିରେ ଗଲାବେଳେ ମାଆଙ୍କୁ ନମସ୍କାର ହେଇ ଗଲି।

ମୋର ଛେନା କେକ ଖାଇବାର ଆଗ୍ରହ ପିଲାଙ୍କ ପାଇଁ ନେବାର ଖୁସିକୁ ମନ ଭିତରେ ଧରି ବାହାରି ଆସିଲି। ଟିକିଏ ଡେରି ହେଇ ଯାଇଥିଲେ ବି ମନଟା ବହୁତ ଖୁସି ଥିଲା। ଅଧାବାଟରେ ମୁଁ କିନ୍ତୁ ମୋ ଲୋଭ ଆଉ ସମ୍ଭାଳି ପାରିଲି ନାହିଁ। ଭାବିଲି ଏବେ ଏଥିରୁ କିଛି କାଢି ଖାଇଦେବି। ଘରକୁ ଗଲେ ମୁଁ ଆଉ ଭାଗ ନେବିନି। ପିଲାମାନେ ବି ଭାବିବେ ଯାହା ହେଉ ବାପା ସବୁତକ ଆମ ପାଇଁ ଆଣିଛନ୍ତି। ସ୍ତ୍ରୀ ବି ଖୁସି ରେ ତା ଭାଗରୁ ମୋତେ ଟିକେ ଖାଇବା ପାଇଁ ବାଧ୍ୟ କରିବ। ମୁଁ ଖାଇବିନି ବୋଲି ମନା କରୁଥିବି। ସେ ମୋତେ ବାଧ୍ୟ କରି ଦେଉଥିବ। ଏତେ ଗୁଡ଼ାଏ ଖୁସି ମୋ ଆଖିରେ ଦେଖି ମୁଁ ମୋ ନିଜ ବୁଦ୍ଧି କୁ ତାରିଫ କରୁ କରୁ ପୁଡିଆଟି ଖୋଲି ଦେଲି। ପୁଡିଆଟି ଖୋଲି ଦେଲା ମାତ୍ରେ ଯୋଉଭଳି ଭାବରେ ଆମ୍ବିଳା ଛେନାର ଦୁର୍ଗନ୍ଧ ଆସିଲା ମୋତେ କେମିତି ସବୁ ଅନ୍ଧାର ଅନ୍ଧାର ଦିଶିଲା। ତଥାପି ମୁଁ ହାତରେ ଟିକେ ଆଣି ଚାଖିବାକୁ ଲାଗିଲି। ଗୋପୀନା ତମେ ବିଶ୍ଵାସ କରି ପାରିବନି ମୁଁ ତଣ୍ଟି ପାଖରୁ କାଢି କେମିତି ଫୋପାଡ଼ିବି ବାଟ ପାଇଲିନି। ଦଶ ମିନିଟ ସେଇଠି ବସି ପଡିଲି। ସେତେବେଳେ ଯାଇ ଜାଣିଲି ଯେ ମାଆଙ୍କ ମୁଣ୍ଡ ରେ ଭଗବାନ ପଶିଥିଲେ କି ସଇତାନ ପଶିଥିଲା। ନଷ୍ଟ ହେଇ ଯାଇଥିବା ମିଠାକୁ ଫୋପାଡିବେ କାହିଁକି, ମୋତେ ଦାନ କରି ଦାନୀ ହେବାର ଗୌରବ ନେବେ ବୋଲି ବସିଛନ୍ତି। ବଡ ଲୋକଙ୍କ ର ସତରେ କି ବୁଦ୍ଧି। ସବୁତକ ଛେନା କେକ ସେଇଠି ଫୋପାଡ଼ି ଦେଇ ଚାଲିଗଲି। ମୋ ଦୁଃଖ ଯିଏ ପାଇଥିବ ସିଏ ବୁଝି ପାରିବ। ସେଥିପାଇଁ ଗୋପୀନା ତମକୁ ନିଜର ଭାବି କହିଲି। ଏବେ ତ ପୁରା ଶୁଣିଲ ।ଏବେ ତମେ କୁହ ମୁଁ ହୀନ ପ୍ରକୃତିର ଲୋକ ବୋଲି କହିବି କି ନାହିଁ।
ଗୋପୀନା କିଛି ନ କହି ନୀରବ ଥିଲା।
ହରିଆ ପୁଣି ଥରେ ପଚାରିଲା - କଣ ଗୋପୀନା ଭାବୁଛ। ମୁଁ ବି ସେଦିନ ଭାବୁଥିଲି କେମିତି ସେ ପୁଡିଆ ଫୋପାଡ଼ିବି। ମାଆ ମୋତେ ତାପରେ ବି ଆହୁରି  ତିନି ଚାରି ଥର ଦେଲେଣି। ସବୁଥର ସେଇ ଯାଗାରେ ଖୋଲି ମୁଁ ଦେଖିବି ଓ ଆମ୍ବିଳା ଗନ୍ଧ ପାଇବା ମାତ୍ରେ ସବୁ ଫୋପାଡ଼ି ଦେବି।
ମାଆ ମୋତେ ଦିନେ ବି ପଚାରି ନାହାନ୍ତି ମିଠା କେମିତି ଲାଗିଲା। ମିଠା ଠିକ ଥିଲା କି ନାହିଁ। ଯିଏ ଜାଣି ଶୁଣି ଖରାପ ମିଠା ଦେଇଛି ସେ ବି କଣ ପାଇଁ ପଚାରିବ।

- ହୋଉ ଶୁଣ  ହରିଆ - ମୋ ମନ କିନ୍ତୁ ଡାକୁଛି ତୋର ତାଙ୍କୁ ସେମିତି ଭାବିବା ଠିକ ନୁହେଁ । ଖରାପ ଜିନିଷ ପାଇଲେ ସମସ୍ତ ଙ୍କୁ ଖରାପ ଲାଗିବ। ମୋତେ ବି ଲାଗିଥାନ୍ତା। କିନ୍ତୁ ଯାହା ମୋର ନୁହେଁ ତାହା ଭଲ ହେଲେ କେତେ ଖରାପ ହେଲେ କେତେ।

ଗୋପୀନା କଥା ଶୁଣି ହରିଆର ମନଟା ମରିଗଲା। ପାଟିରୁ ତାର କଥା ବାହାରିଲା ନାହିଁ।
ଗୋପୀନା ଯେତେବେଳେ ହରିଆ କାନ୍ଧରେ ହାତ ଟା ପକାଇ ଦେଇ କହିଲା - ତୁ ଦୁଃଖ କରନା।
ହରିଆ ଚେତି ଉଠିଲା ପରି କହିଲା - ମୁଁ ଭାବିଥିଲି ଗରୀବର ଦୁଃଖ ଗରୀବ ବୁଝି ପାରିବ। ବର୍ତ୍ତମାନ ଆଉ ସେ ଭରସା ବି ମୋର ଚାଲିଗଲା।
ଗୋପୀନା ଧିରେ କହିଲା - ତୁ ଜାଣିଛୁ ଚୁକ୍ତି ଭିତ୍ତିକ ଦରମା ରେ ଆମେ ଚାରି ଜଣ ଅଛୁ। ତୋର ମୋର ବାବୁଙ୍କ ଘରେ ରହୁଛେ। ବାକି ଦୁଇ ଜଣ ଅଫିସରେ ଅଛନ୍ତି ଯେ ୟାର ତାର ବୋଲହାକ ଶୁଣୁଛନ୍ତି। ସେମାନେ ଏବେ କହୁଛନ୍ତି ରୋଟେସନରେ କାମ କରିବା ପାଇଁ। ରୋଟେସନ ମାନେ ସେମାନେ କିଛି ଦିନ ଅଫିସରେ। ଆମେ କିଛି ଦିନ ଅଫିସରେ। ଯଦି ସେମିତି ହୁଏ। ତୁ ଭାବ ଯେ ଆମେ ଏଠି ଯୋଉ ମାଗଣା ଖାଇ ପିଇ ଟିଭି ଦେଖି ରହୁଥିଲେ, ସବୁ ଆମର ବନ୍ଦ ହେଇଯିବ। କାମକୁ କାମ କରିବା, ହାତରୁ ଖାଇ ରହିବା। ବାବୁଘର ତ ତୋ କହିବା ଅନୁସାରେ ହୀନ ପ୍ରକୃତି ର ଲୋକ, ତୋର ବି ମନ ନାହିଁ ସେଠି। ତୁ ଯଦି ରାଜି ହୁଅନ୍ତୁ ଅଫିସ ଯିବା ପାଇଁ ମୁଁ ଆମର ସେ ମନୁଆକୁ ନେଇ ଆସନ୍ତି। ବିଚରା ମୋତେ ବହୁତ ଥର କହିଲାଣି, ଅଫିସ ଖଟଣୀ ସେ ଆଉ ପାରୁନି। ତାର ଏଠି ଘର ନାହିଁ ବୋଲି ଖାଇବା ପିଇବା ରେ ବି ସେ ହଇରାଣ ହେଉଛି। ତୋର ତ ପାଖରେ ଘର ଅଛି। ତାପରେ ହୀନ ପ୍ରକୃତି ର ଲୋକ ଗୁଡାକ ପାଖରେ ତୁ କାହିଁକି ରହି ମନ ଖରାପ କରିବୁ। ସେ ବିଚରାଟାକୁ ଛାଡି ଦେ। ସେ କହୁଥିଲା ତାକୁ ଗାଳି ଦେଲେ ବି ସେ ଆନନ୍ଦ ରେ ପଡି ରହିବ। ପୁରା ଦରମା ଟା ତାକୁ ଗାଁ କୁ ପଠାଇବାକୁ ପଡୁଛି ପିଲାଙ୍କ ପାଠପଢା ପାଇଁ ।
ହରିଆ କିଛି କହିଲାନି।
ଗୋପୀନା ପୁଣି ଥରେ ପଚାରିଲା - ତୁ କିଛି କହିଲୁନି ଯେ ହରିଆ !
ତମେ କଣ ମୋ ଛୁଆ ପିଲାଙ୍କୁ ମାରିବ କି ଗୋପୀନା। ମୁଁ କହିଦେଲି ବୋଲି କଣ ମୋର ଭୁଲ ହେଇଗଲା।
- ଆରେ ତୁ ବି ମୋ ନିଜ ଲୋକ। ତୁ ନ କହିଲେ କଣ ମୁଁ କହିବି କି। ତୁ ହୀନ ଲୋକ ଙ୍କ ପାଖରେ ପଡିକି ଅଛୁ  ବୋଲି କହୁଥିଲୁ ତ! ମୋର ଦୟା ଆସିଲା। ତୋର ଯଦି ଦରକାର ନାହିଁ। ତୁ ଯଦି ସେମାନଙ୍କ ଅପେକ୍ଷା ଭଲରେ ଅଛୁ ମୁଁ କାହିଁକି କହିବି ।
ହରିଆ ଏଥର ହସି ଦେଇ କହିଲା - ଗୋପୀନା ମୁଁ ଭଲରେ ଅଛି।
ଗୋପୀନା ଆଉ କିଛି ନକହି ଟିକେ ହସିଦେଇ ଚାଲିଗଲା।
ଗୋପୀ ଯିବା ପରେ ପାଖରେ ବସିଥିବା ଜଣେ ମନ୍ଦିର ନନା ହରିଆକୁ ଚାହିଁ କହିଲେ - ଶ୍ରୀମଦ୍ ଭାଗବତରୁ ପଦେ ଶୁଣ:
ମନ୍ଦସ୍ଯ ମନ୍ଦପ୍ରଜ୍ଞସ୍ଯ ବୟୋ ମନ୍ଦାୟୁଷଶ୍ଚ ବୈ ।
ନିଦ୍ରୟା ହ୍ରିୟତେ ନକ୍ତଂ ଦିବା ଚ ବ୍ଯର୍ଥକର୍ମଭିଃ ।।
ଅର୍ଥାତ୍ -
ସଂସାରୀ ଲୋକେ ହେଉଛନ୍ତି ଅଳ୍ପାୟୁ ଏବଂ ସେମାନଙ୍କ ବୁଦ୍ଧି ମଧ୍ୟ ସ୍ବଳ୍ପ। ଦିନରେ ଭଗବତ୍ ସମ୍ବନ୍ଧୀ କର୍ମ ବ୍ଯତୀତ ଅନ୍ୟ ସବୁ କର୍ମରେ ରହି ରାତିରେ ଶୋଇ ଶୋଇ ସେମାନେ ନିଜର ଆୟୁ କଟାଇ ଦିଅନ୍ତି ଏବଂ ନିଜକୁ ବୁଦ୍ଧିମାନ ବୋଲି ଭାବନ୍ତି।
ହରିଆ ପଚାରିଲା - ଆପଣ କଣ ଆମ କଥା ଶୁଣୁଥିଲେ।
- ହଁ! ସେଥିପାଇଁ ତ କହିଲି। ତମେ ବାବୁଙ୍କ ଭଲ ପଣକୁ ଭୁଲିଗଲ, ତମ ଲୋଭ ପାଇଁ ମା'ଙ୍କ ଛେନା କେକ ତମକୁ ବ୍ୟର୍ଥ ଚିନ୍ତା ରେ ଲିପ୍ତ କଲା। ସେତିକି ସମୟ ନିନ୍ଦା ନକରି ଯଦି ପ୍ରଭୁ ଙ୍କୁ କହିଥାନ୍ତ - ହେ ପ୍ରଭୁ ମା'ଙ୍କ ମନରେ ଭଲ ବୁଦ୍ଧି ଆଣିଦିଅ ତାହେଲେ ମା'ଙ୍କର ବି ଲାଭ ଓ ତମର ବି ଲାଭ ହେଇଥାନ୍ତା।

ହରିଆ ଚିନ୍ତା ମଗ୍ନ ହେଇଗଲା। କିଛି କହିବ ବୋଲି ମୁଣ୍ଡ ଟେକିଲା ବେଳକୁ ସେ ନନା ଆଉ ସେଠି ନଥିଲେ।
ହରିଆ ପୁରା ଘଟଣା କୁ ଆଉଥରେ ନିଜ ଆଖିରେ ଦେଖିବାକୁ ଚେଷ୍ଟା କଲା ଓ ଭାବୁଥିଲା ଯାହା ଗୋପୀନାକୁ ଏତେ ଜଲଦି ଦେଖାଗଲା ତାକୁ କେମିତି ଦିଶିଲା ନାହିଁ। ସମାନ ବିଷୟରେ ବି ଦୃଷ୍ଟି ବଦଳି ଗଲେ କେତେ ଭିନ୍ନ ରୂପରେ ପ୍ରକାଶ ପାଇଯାଏ।
ଯାହା ବି ହେଉ ବାବୁ ମା'ଙ୍କ ଛେନା କେକ୍ ପାଇଁ ସେ ଆଜି ଗୋଟିଏ ଭଲ ଶିକ୍ଷା ପାଇଲା। ଆଜି ଦିନଟା ନିଶ୍ଚୟ ତା ପାଇଁ ଭଲ ଦିନ। ମନକୁ ମନ ହସି ଦେଇ ହରିଆ ସାଇକେଲ ଚଢିଲା।


ନୟାପଲ୍ଲୀ,  ଭୂବନେଶ୍ବର


Post a Comment

0 Comments