ଏଇ ଆଜିର ଆହ୍ୱାନ - ରଞ୍ଜନ କୁମାର ମହାନ୍ତି


କାହିଁ ଗଲା ତୁମ ସ୍ୱର୍ଣ୍ଣିମ ଅତୀତ 
ସାକ୍ଷୀ ଯା ଲକ୍ଷ୍ମୀ ପୁରାଣ 
ଯେଉଁ ଝୋଟିଚିତା ପରେ ମହାଲକ୍ଷ୍ମୀ 
ଥାପିଣ ଥିଲେ ଚରଣ 
ଏଇ ଆଜିର ଆହ୍ୱାନ 
ଜୀବନ ଦୁଆରେ ଆଙ୍କ ସେଇ ଝୋଟି 
କରି ତଵ ଜୟଗାନ l 

ତୁହି ପରା ଦିନେ ଶୁକଦେଈ ରୂପେ 
ସାଜିଥିଲୁ ରଣଚଣ୍ଡୀ 
ଖୋରଧା ଗଡ଼ର ପାଇକ ବଧୂ ତୁ
ଇଂରେଜର ଦର୍ପ ଖଣ୍ଡି 
ମୁଣ୍ଡରୁ କାଟିଲୁ ଗଣ୍ଡି 
ସାକ୍ଷୀ ଆଜି ସେଇ ବରୁଣେଇ କଡ଼ 
ଭୁଲି ଗଲୁ କି ଲୋ ହୁଣ୍ଡି !

ତୋ ହାତ ଦହିକୁ ଖାଇ ମହାପ୍ରଭୁ 
କାଞ୍ଚି ଅଭିଯାନେ ଗଲେ 
ତୋ ଶଙ୍ଖ ଶଵଦ ଶୁଣି ଯେ ସାଧବ 
ସାଗରେ ବୋଇତ ମେଲେ 
ଦୁଃଖ ରଖି ଛାତି ତଳେ 
ପରିବାରକୁ ତୁ ଏକ କରି ରଖୁ 
ସେନେହ ମମତା ମୂଲେ l 

ତୋର ପୋଡପିଠା ଭାଗବତ ଗୀତା 
ପୋଥି ପୁରାଣର ସରି 
ଏ ସାରା ଭୁବନେ କିଏ ଅଛି କହ 
ଯିଏ ହବ ତୋର ପରି 
କର୍ମ ମତେ ରୂପ ଧରି 
ଭୋଜନେ ଜନନୀ ପ୍ରଣୟେ ପ୍ରେୟସୀ 
ଭଗିନୀର ସ୍ନେହଡୋରି l

କାହା ସାନଵୋଉ କାହାର ତୁ ଖୁଡୀ 
ଶେଷେ ତୁ ପାଲଟୁ ବୁଢ଼ୀ 
ନିଜ ଅସ୍ତିତ୍ୱକୁ ହଜେଇ ଦେଉ ତୁ
ଆଶା ଦୁଇପଟ ଚୁଡ଼ି 
ପର ଘର ଦେଉ ଗଢି 
ମୃତ୍ୟୁ ଶଯ୍ୟା ପାଶେ ତୋର ଭାଗବତ 
ଯମକୁ ଦିଅଇ ତଡି l

ସଙ୍କରାନ୍ତି ଅବା ଉଆଁସ ପୁନେଇଁ 
ତୋ ବିହୁନେ ସବୁ ଫିକା 
ସାକ୍ଷାତରେ ତୁ ଯେ ଦେବୀ ଅନ୍ନପୂର୍ଣ୍ଣା 
ହାତରେ ଥିଲେ ଖଡ଼ିକା 
ସେଇ ତ ତୋର ଜୀବିକା 
ନିଜ ପେଟ କାଟି ପରକୁ ଖୁଆଉ 
ସାକ୍ଷୀ ଅଛି ଖାଲି ଶିକା l

ସେହି ସବୁ କୀର୍ତ୍ତି ଚୁଲିର ନିଆଁରେ 
ନ ହେଉ ଆଜି ପାଉଁଶ
ଉଠ ଉଠ ମାତ ଉଠି ଲେଖିଦିଅ 
ଜାତିର ସ୍ବର୍ଣ୍ଣ ଭବିଷ୍ୟ 
ବଦଳାଅ ଇତିହାସ 
ତୁମେ ମହିୟସୀ ଅପୂର୍ବ ସାହସୀ 
ତେଜ ହେ ମନରୁ ଦ୍ୱେଷ l

ଆଦ୍ୟ ଆଷାଢ଼ର ଅସରାଏ ବର୍ଷା 
ତୁମେ ତ ନିଦାଘ ଦେହେ 
ମୃତ୍ୟୁର ପୁରୀରେ ଅମୃତମୟୀ ହେ 
ତୁମେ ତ ଅସରା ସ୍ନେହେ 
ସଦା ଏହି ଜାତି ଚାହେଁ 
ଜାଗି ଉଠ ମାତ ଆତ୍ମାର ଆହ୍ଵାନେ 
ଉତ୍କଳମାତାର ମୋହେ l


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 
ମୋ--8658574945

Post a Comment

0 Comments