ହୃଦୟର କେଉଁ ଶୂନ୍ୟ କୋଣରେ
ଜାଗାଟିକେ ଥିଲା ତୁମରି ପାଇଁ
ଅଜାଣତେ ସେଇ ଶୂନ୍ୟତା ଭିତରେ
ପଶିଗଲ ମୋତେ ସେନେହ ଦେଇ ।
ଭୁଲିଗଲି ମୋର ଦୁଃଖକଷ୍ଟ ଯେତେ
ତୁମରି ସେନେହ ମମତା ପାଇ
ଜାଣି ଯେ ନ ଥିଲି ଭଲପାଇବା ମୁଁ
ଶିଖାଇଲ ମୋତେ ଗୋ ଭଲପାଇ ।
ନରମ ଆଖିର ଗରମ ଲୁହ ମୋ
ତୋଳି ନେଲ ହାତ ପାପୁଲି ପରେ
ଏଵେ କାହିଁ ତେବେ ଭରି ଦେଇଗଲ
ଲୁହର ବନ୍ୟା ସେ ନୟନ ଧାରେ ?
ଆଖିରେ ଲୁହ ମୋ ଦେବାର ଥିଲା ତ
ଦେଖାଇଲ କାହିଁ ସପନ ଏତେ
ହୃଦୟରେ କୋହ ଦେବାର ଥିଲା ତ
ମମତା କାହିଁକି ଭରିଲ ସତେ ?
ଭୁଲିଗଲ ସିନା ସହଜରେ ତୁମେ
ଜୀବନେ ଅନେକ ଆଶା ଦେଖାଇ
ନିତି ମୁଁ ଝୁରୁଛି ତୁମକୁ ଗୋ ଯାହା
ଆଖିର ଲୁହକୁ ଓଠରେ ପିଇ ।
ମିଥ୍ୟା ପ୍ରତିଶ୍ରୁତି ଦେଇଥିଲ ଯାହା
ଫେରାଇ ନିଅ ମୋ ଭଙ୍ଗା ମନରୁ
ପାରୁନାହିଁ କେବେ ଭୁଲି ମୁଁ ତୁମକୁ
ଦୂରେଇ ଦେଇନି ମୋ ହୃଦୟରୁ ।
ମାଗୁନାହିଁ କିଛି ତୁମକୁ ଆଉ ମୁଁ
ଫେରାଇ ଦିଅ ମୋ ହଜିଲା ଦିନ
ତୁମ ହୃଦୟରେ ନ ଥିଲି ମୁଁ କେବେ
ତୁମେ ହିଁ ତ ନିଜେ ହୃଦୟହୀନ ।
ଭାରତୀ ରଥ
ରଗଡି, ବାଙ୍କୀ, କଟକ



0 Comments