ଢାଳି ଦିଅ ଶୁଭ ଆଶିଷ - ଜଗବନ୍ଧୁ ସାହୁ


ଶୁଭ ନବ ବର୍ଷେ     ଦଣ୍ତଯାତ୍ରା ତୁମ
       ହେଲା ମାଗୋ ସମାପନ
ଆହେ ହରପ୍ରିୟା ଶିବା ଯୋଗମାୟା
       ସଂସାରୁ ଫେଡ କଷଣ l

ଆଶିଷ ଦିଅ ମାଁ ସାରା  ସଂସାରକୁ
       ରଖି ତୁମ ଛାୟା ଛତ୍ରେ
ସବୁରି ଓଠରେ    ଭରି ଦିଅ ଖୁସି
      ଚାହିଁ ତୁମ କୃପା ନେତ୍ରେ l

ରୁଦ୍ରଙ୍କର ଅଶଂ      ଆହେ ହନୁମନ୍ତ
        ରାମ ଭକ୍ତ ଗିରିଧାରୀ
ତୁମ ଜନ୍ମ ଦିନେ     ଆଉ ଥରେ ପ୍ରଭୁ
       ଆସ ସଂସାରକୁ ଫେରି l 

ପବନ ତନୟ       ସଙ୍କଟ ମୋଚନ
       ଘେନ ମୋର ଏହି ଅଳି
ତୁମରି ଆଶିଷେ     ଏ ଧରା ବକ୍ଷରୁ
       ଦୁଃଖ କଷ୍ଟ ଯାଉ ଜଳି l

କଦଳୀ ନଡିଆ     ଆମ୍ବ ଛେନା ଆଣି
        କରି ପିଅ ବେଲ ପଣା
ଓଡ଼ିଆର ଶୁଭ ନବ ବର୍ଷ ପାଳି
         ଓଡିଆରେ ହୁଅ ଗଣା l

ପଣା ସଂକ୍ରାନ୍ତି     ହନୁମାନ ଜୟନ୍ତି
        ନବ ବର୍ଷର ଶୁଭ ଦିନ
ଘେନନ୍ତୁ ସମସ୍ତେ      ହୃଦୟରୁ ମୋର
          ହାର୍ଦ୍ଧିକ ଅଭିନନ୍ଦନ l

ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments