ମୁଣ୍ଡର ଝାଳକୁ ତୁଣ୍ଡରେ ସେ ମାରି
ଖଟିଖଟି ଯାଏ ଦିନ
ଦେହର ରକତ ପାଣି କରିଦେଇ
କର୍ମ ତାର ଭଗବାନ।
ଦିନରାତି ଖଟି ସାଉଁଟଇ ମାଟି
ପଖାଳ ତୋରାଣି ପିଇ
କରେ ପରିଶ୍ରମ ଖଟି ରାତିଦିନ
ଢୋକେ ପିଇ ଦଣ୍ଡେ ଜିଇ।
ମୁଣ୍ଡଫଟା ଖରା ଖାତିରି ନ କରି
ବିଲରେ କରଇ ଚାଷ
ନିଜେ ଦୁଃଖେ ରହି ଅପର ମୁହଁରେ
ଫୁଟାଉଥାଏ ସେ ହସ।
କେବେ ଖାଉଥାଏ ପଖାଳ ମୁଠିଏ
କେବେ ପୁଣି ଉପବାସ
ହାଡ ଭାଙ୍ଗିଯାଏ ଶିରା ଦୁହିଁଯାଏ
ତଥାପି ତା' ମୁଖେ ହସ।
ଏମିତି ଜୀବନ ପାଇଛି ଶ୍ରମିକ
ଦିନ ଯାଏ ଖଟିଖଟି
ଶ୍ରମରେ ତାହାର ଦେଖେ ଭଗବାନ
ସାଥି ସଦା ତା'ର ମାଟି।
ଶ୍ରାବଣ ମାସରେ ଭିଜାଇଛି ଦେହ
ଖାଇଛି ବରଷା ମାଡ
ମାଘ ମାସ ଶୀତ ବାଘପରି ଅଟେ
ଥରାଇଛି ତାର ହାଡ।
ଜ୍ଯେଷ୍ଠ ମାସ ଖରା ରକତ ସିଝାଏ
ତଥାପି କରେନା ଡର
ଝାଳରେ ଶ୍ରମିକ ଲୁଗା ଭିଜିଯାଏ
ଦେହରେ ପଡଇ ଝର।
ଥଣ୍ଡା ଓ କାକର ଚିର ସହଚର
ପରିଶ୍ରମ ବାରମାସ
ଛୋଟ ସଂସାରଟା ଖୁସିରେ ରହିଛି
ସବୁବେଳେ ମୁଖେ ହସ।
ଅନ୍ୟ ପାଇଁ ସିଏ ଗଢିଅଛି କୋଠା
ରହିଥାଏ ଚାଳଘରେ
ସଭ୍ଯ ଜଗତକୁ ନିଜ ହାତେ ଗଢି
ଅନାଟନ ମଧ୍ଯେ ମରେ।
ପିନ୍ଧିନାହିଁ କେବେ ଭଲ ଲୁଗା ଖଣ୍ଡେ
ତିଆରିଛି କେତେ ବସ୍ତ୍ର
ଦେଶକୁ ବଞ୍ଚାଇ ନିଜେ ଦୁଃଖ ସହି
ଅର୍ଥନୀତି ମୂଳସୂତ୍ର।
ସରଳ ନିରିହ ମଣିଷଟିଏ ସେ
କର୍ମକୁ କରେନା ଭୟ
ସବୁରୀ ମୁଖରେ ହସ ଫୁଟାଇଣ
ଶ୍ରମିକ ତା' ପରିଚୟ।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ଜିଲ୍ଲା, ନୟାଗଡ



0 Comments