ଭାରତ ମାତା - ନିବେଦିତା ମହାପାତ୍ର



ମଥାରେ ଯା'ର ମୁକୁଟ ହିମାଳୟ
ସାଗର ଧୌତ କରେ ଚରଣ ଦ୍ବୟ
ସଂସ୍କୃତି ପରମ୍ପରା ଗୌରବମୟ
ବିଶ୍ବ ଦରବାରେ ସେ ଅତୁଳନୀୟ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ବକ୍ଷେ ଶୋଭାୟ ଯା' ଶ୍ୟାମଳ ବନାନୀ
ପ୍ରାକୃତିକ ସୌନ୍ଦର୍ଯ୍ୟେ ହୋଇଛି ଧନୀ
ଷଡଋତୁ ଆସିଲେ ସମ୍ଭାର ଘେନି
ନୂଆ ରୂପେ ସଜ୍ଜିତ ହୁଏ ଜନନୀ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ସୁଜଳା,ସୁଫଳା ଶ୍ୟାମଳ ଧରଣୀ
ଶସ୍ୟରାଜି ଭେଟି ଯେ କରିଛି ଋଣୀ
ସୁନ୍ଦର ପୁଷ୍ପ ଗୁଚ୍ଛେ ପ୍ରକୃତି ରାଣୀ
ବିଭୂଷିତ ହୋଇ ନିଏ ମନ କିଣି
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ଭରିଛି ଗରଭେ ଖଣିଜ ଦରବ
ସୁନା,ରୂପା,ମଣି,ରତନ ବିଭବ
ଶିଳ୍ପାଞ୍ଚଳେ କାରିଗରଙ୍କ ପାଟବ
ଭେଟି ଦ୍ୟନ୍ତି ଯହିଁ ଉପହାର ନବ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ସୂକ୍ଷ୍ମ କଳା କୌଶଳେ ଦକ୍ଷ ଶିଳ୍ପୀର 
ପ୍ରାଣବନ୍ତ ହୁଏ ନିର୍ଜୀବ ପ୍ରସ୍ତର
ଗର୍ବ ବହି ଐତିହାସିକ ସ୍ଥାନର
ସାଖୀ ସାଜିଛି ଯେ ଭାସ୍କର୍ଯ୍ୟ ଶିଳ୍ପର
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ସର୍ବ ଧର୍ମ ସଂପ୍ରଦାୟର ମଣିଷ
ବାନ୍ଧି ସ୍ନେହ,ସୌହାର୍ଦ୍ଦ୍ଯ ବନ୍ଧନ ଫାଶ
ନାନା ବର୍ଣ୍ଣ ଫୁଲର ମାଳ ସଦୃଶ
ମିଳିତ ହୋଇ ଯହିଁ କରନ୍ତି ବାସ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ଗଙ୍ଗା,ଯମୁନା,କାବେରୀ,ନରମଦା
ବ୍ରହ୍ମପୁତ୍ର,ଇନ୍ଦ୍ରାବତୀ ଯେ ସାରଦା
ଏକମେଳରେ ଜଳ ଯୋଗାନ୍ତି ସଦା
ତା'ଲାଗି ବଢେ ଧନଧାନ୍ୟ ସଂପଦା
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ଏ ଆର୍ଯ୍ୟବର୍ତ୍ତରେ ଜନ୍ମି କେତେ ଋଷି
ବାଣ୍ଟିଦେଲେ ଜଗତକୁ ଜ୍ଞାନ ରାଶି
ଶୂନ୍ୟ ମଣ୍ତଳରେ ସାଜିଲେ ସପ୍ତର୍ଷି
ବଶିଷ୍ଠ,ବିଶ୍ବାମିତ୍ର ହେଲେ ମହର୍ଷି
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ଦୌପଦୀ,ଅହଲ୍ୟା,ସୀତା,ମନ୍ଦୋଦରୀ
ସାବିତ୍ରୀ,କୁନ୍ତୀ,ଅନୁସୂୟାଙ୍କ ପରି
ପୁରାଣର ଯେତେ ମହାସତୀ ନାରୀ
ଧନ୍ୟ ହେଲା ଧରା ତାଙ୍କୁ କୋଳେ ଧରି
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ସାହିତ୍ୟ,ଦର୍ଶନ ବା ପରିଚାଳନା
ବିଜ୍ଞାନ,ଉଦ୍ଭାବନ, ପରିକଳ୍ପନା
ଗାର୍ଗୀ,ମୈତ୍ରେୟୀ,ଯେ ଲୀଳାବତୀ ଖନା
ସ୍ବର୍ଣ୍ଣାକ୍ଷରରେ ଲେଖିଗଲେ ନିଜ ନାଁ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ଜ୍ଞାନର ପାଣ୍ତିତ୍ୟେ କବି କାଳିଦାସ
ରଚିଦେଲେ ମହାକାବ୍ୟ ରଘୁବଂଶ
ଚୈତନ୍ଯ,କବୀର ଗାଇ ଭକ୍ତିରସ
ବିଭୁ ପ୍ରେମେ କଲେ ସଭିଙ୍କୁ ଆବେଶ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ବେଦ ଧ୍ବନିରେ ଝଙ୍କୃତ ଯା ପବନ
ସଭ୍ୟତା,ସଂସ୍କୃତି ତା'ର ସ୍ବାଭିମାନ
ବିଶ୍ବରେ ଶ୍ରେଷ୍ଠ ଧରମ ସନାତନ
ବିବେକାନନ୍ଦ ବଢାଇଲେ ଯା' ମାନ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ଅଧର୍ମ ନାଶି ଧର୍ମ ସ୍ଥାପିବା ପାଇଁ
ଅବତାର ନେଲେ ବ୍ରହ୍ମାଣ୍ଡ ଗୋସାଇଁ
ଲୀଳାର କ୍ଷେତ୍ର କରି ଏ ପୂଣ୍ୟ ଭୂଇଁ
ରହିଲେ ଅମର ଯୁଗ ଯୁଗ ପାଇଁ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ସ୍ମୃତି,ଉପନିଷଦ,ମହାଭାରତ
ରାମାୟଣ,ବ୍ୟାକରଣ,ଭାଗବତ
ବଖାଣିଲେ ଗୀତାର ବାଣୀ ଅମୃତ 
ଜ୍ଞାନର ପ୍ରମାଣ ପାଇଲା ଜଗତ
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ସତ୍ୟ,ଦୟା,ଅହିଂସା,ପରୋପକାର
ତ୍ୟାଗ,କ୍ଷମା,ଦେଖାଏ ମାର୍ଗ ଶାନ୍ତିର
ସଭିଙ୍କୁ ଶୁଣାଇ ବାର୍ତ୍ତା ପ୍ରଗତିର
ହୃଦେ ଭର‌ଇ ଉନ୍ମାଦନା ମୁକ୍ତିର
ସେହି ତ ମୋର ପ୍ରିୟ ଭାରତ ମାତା 
ଦେବଭୂମି ରୂପେ ଯେ ଚିର ବନ୍ଦିତା।

ମୁକୁନ୍ଦ ମିଶ୍ର ନଗର,ପୁରୀ
ଫୋନ୍ -୭୯୭୮୩୪୭୩୪୬

Post a Comment

0 Comments