ଜରି ଗୋଟାଇବା ସମୟରେ ଟିକେ ଟିକେ ସ୍କୁଲ ଆଡେ ଅନାଉଥିଲା ରୀତିକା । ସବୁଥର ଏଇଦିନେ ଵୁନ୍ଦି ସେଉ କିଛି ମିଳିଯାଏ ୨/୪ଟା ସ୍କୁଲ ରୁ । କି ନିଆଁଲଗା ରୋଗ ଆସିଲା କେଜାଣି ଇସ୍କୁଲୁ ବନ୍ଦ କରିଦେଲା ସରକାର । ସେ ସରକାର କିଏ, କେମିତିକା ଲୋକ ଦେଖି ନ ଥିଲା କି ଜାଣି ନ ଥିଲା ରୀତିକା । ଇସ୍କୁଲୁ ଯିବା ତା ଭାଗ୍ୟରେ ନ ଥିଲା, କୋଉ ଛୋଟ ବେଳୁ ବାପା ଆରପାରିକୁ ଚାଲିଗଲେ । ମାଆ ଆଉ ତାର ଛୋଟ ଚାରି ଭାଇଭଉଣୀଙ୍କ ଖାଇବା ଖର୍ଚ୍ଚ ଏ ଜରି ଗୋଟାଇ କଵାଡିବାଲାକୁ ଦେଇ ଯାହା ରୋଜଗାର ହେଉଥିଲା ତାକୁ ମିଶାଇ ଘରେ ପାଞ୍ଚଜଣଙ୍କ ପାଇଁ ସେ ଓ ତାର ମାଆ ମିଶି ବହୁ କଷ୍ଟରେ ଚାରିପିଲାଙ୍କ ପାଇଁ ମୁହଁରେ ଦାନା ଯୋଗାଡ କରି ପାରିଛନ୍ତି । କେବେ ଚୋରି କରି ନାହାନ୍ତି କି କାହାଠୁ ହାତ ପତେଇ ମାଗି ନାହାନ୍ତି ।
ଇସ୍କୁଲୁ ରେ ପତାକା କାହିଁକି ଉଡେ, ତାକୁ ଭଲରେ ଜଣା ନ ଥିଲେ ବି ଏତିକି ବୁଝେ ଆଜି ଦେଶର ଗୋଟେ ଭଲ ଦିନ । ଦିନେ ଜରି ଗୋଟାଇବା ସମୟରେ ଚାରି ବଣ୍ଡଲ ପାଞ୍ଚଶ' ଟଙ୍କିଆ ପାଇଥିଲା । ଆଶ୍ଚର୍ଯ୍ୟ ହୋଇଥିଲା ପ୍ରଥମେ । ଏଗୁଡିକ ଠିକ୍ ନୁହେଁ ଜାଲ ନୋଟ୍ ଭାବି ପକାଇ ଦେବା ସମୟରେ ତା ମନକୁ ତା' ସାନ ଭଉଣୀର ମୁହଁଟି ତାର ଆଖି ଆଗରେ ଭାସିଗଲା । ଜରିବସ୍ତାରେ ସେଗୁଡିକ ରଖି ଚୁପ୍ ଚାପ୍ ବସିଗଲା ରୀତିକା । ଭାବିଲା, ଏତେ ଖେଳନା ଟଙ୍କା ଦେଖି ତା' ଭଉଣୀ ବହୁତ ଖୁସି ହେବ ।
ପରଦିନ ତା ଭଉଣୀ ସିକା ଏ ଟଙ୍କାଗୁଡିକରେ ବସି ଆନନ୍ଦରେ ଖେଳୁଥିଲା । କିଛି ଲୋକ ହଠାତ୍ ପଶି ଆସିଥିଲେ ଆଉ କଠୋର କଣ୍ଠରେ ସେ ଜରି ଗୋଟାଇବା ଝିଅ କାହିଁ ବୋଲି ପଚାରିଲା ବେଳକୁ ରୀତିକା ସେଠି ଠିଆ ହୋଇ ଯାଇଥିଲା । କ'ଣ ହେଲା ବାବୁ.... ?? ଡରି ଡରି ପଚାରିଲା ରୀତିକା । ଶୁଣ୍, ତୋତେ ନୂଆ ଜାମା ଦେବୁ, ତୁମକୁ କିଛି ଦିନର ଖାଇବା ବି । ସତକଥା କହିଵୁ, ଆମେ ଯାହା ପଚାରିବୁ । ବାବୁ...... କ'ଣ ଆଣିଥିଲା କି ..... ମନେ ପକାଉଥିଲା ରୀତିକା । ହଁ, କାଲି ଆମ ଘରପାଖ ଅଳିଆଗଦାରୁ ଜରି ଆଣୁଥିଲୁ ନା !!! ହଁ, ଜବାବ୍ ଦେଲା ରୀତିକା । କ'ଣ କ'ଣ ଆଣିଥିଲୁ ସେଠୁ ? ମାନେ ଜରି ସହ ଆଉ କ'ଣ ? ନା.. ତ, ସେ କିଛି ଆଣିନି, ମାତ୍ର କିଛି ଜରିକୁ ଛାଡି, ଲୁହା କି ପ୍ଲାଷ୍ଟିକ ବି ନ ଥିଲା । ନିର୍ଭୟରେ କହିଲା ରୀତିକା । ମନେପକା, ଆଉ କ'ଣ ଆଣିଥିଲୁ, ସତ ନ କହିଲେ ତୋ ଘର ଛାରଖାର କରି ଦେବୁ । ମନେ ପକାଉଥିଲା ରୀତିକା । ହଁ କିଛି ଖେଳଣା ଟଙ୍କା ପଡ଼ିଥିଲା ଜରିଵସ୍ତାରେ । ଆଁ..... ଖେଳନା ଟଙ୍କା !!!! କାହିଁ ସେସବୁ । ଧମକପୂର୍ଣ୍ଣ ସ୍ବର । ଏଇତ ପଛ ଧୂଳିରେ ବସି ସିକା ତା ସହ ଖେଳୁଛି । ଦୁଇ ଜଣ କୁଣ୍ଢେଇ ପକାଇଲେ, ଆଦରରେ ନା ଖୁସିରେ ଵୁଝିପାରିଲାନି ରୀତିକା । ତାପରେ ଦେଖି ନେଲେ, ସବୁ ଠିକ୍ ଅଛି । ରୀତିକାକୁ କହିଲେ ଏଗୁଡ଼ିକ ଖେଳନା ଟଙ୍କା ନୁହେଁ, ସତ ଟଙ୍କା । ଆମେ ସେଠି ଲୁଚାଇ ରଖିଥିଲୁ । ମୁଣ୍ଡରେ ପଶିଲାନି ଏଇ କଥାଟା । ସତ ଟଙ୍କା କିଏ ବାହାର ଅଳିଆଗଦାରେ କାହିଁକି ରଖିବ । ପୁଣି ବସ୍ତାଏ ପାଖାପାଖି । ଦୁଇଟା ପାଞ୍ଚଶ' ଟଙ୍କିଆ ନୋଟ୍ ଵଢାଇଦେଇ ଜଣେ କହିଲା, ଏଇ ନେ ତୁମ ପାଇଁ କିଛି ଖାଦ୍ୟ, ଆଉ ତୋ ଡ୍ରେସ୍ ଆଣିବୁ । ନାଇଁ ବାବୁ, ଆମେ ଖଟିଖିଆ ଲୋକ । ମୁଁ କାହିଁକି ନେବି । ଆରେ ଏଇଟା ତୋ ବକସିସ୍। ରଖ୍ । ନା, ନା, ମୁଁ ନେଵିନି....ଆରେ ରଖ। ନା, ନା ଦେବାକୁ ଚାହୁଁଛନ୍ତି , ଆମ ସିକା ପାଇଁ ଗୋଟିଏ/ଦୁଇ ଟା ଖେଳନା କିଣି ଦିଅ । ଯାହା ମୁଁ ଇଛା ଥିଲେ ବି ଆଣି ପାରେନି । ଆଶ୍ଚର୍ଯ୍ୟ ହୋଇଗଲେ ଦୁଇ ଜଣଯାକ । ହଉ, ହଉ କହି ଚାଲିଗଲେ ଆଉ କିଛି ସମୟରେ ୧୦/୧୨ ଟା ଖେଳନା ଆଉ ରୀତିକା ଆଉ ସିକା ପାଇଁ ଦୁଇଟି ଡ୍ରେସ୍ ଓ କିଛି ପାଉଁରୁଟି, ବିସ୍କୁଟ ।
ଦୁଇ ଜଣ ଯାଉ ଯାଉ ଜଣେ ପଚାରିଲେ ଜରି ଗୋଟାଇ ଦିନକୁ କେତେ ରୋଜଗାର କରୁ ? ଆଁ... କୋଉ ଦିନ ଶହେ ତ ଦୁଇଶହ । ସବୁଦିନ ଠିକ୍ ନ ଥାଏ, କିନ୍ତୁ ଆମେ ଦୁଃଖେସୁଖେ ଚଳିଯାଉ ବେଶି ଭଲ ଖାଇପିନ୍ଧି ପାରୁନା କିନ୍ତୁ କାହାକୁ କିଛି ମାଗି ଖାଉନା କି ଚୋରି କରୁନା । ଭଗବାନଙ୍କ କୃପାରୁ ଚାଲିଛି.....ବାବୁ ଏତେ ସବୁ ଜିନିଷ କାହିଁକି ଆଣିଲେ ?? ମାଆ ଆସିଲେ ଗାଳି ଦେଵ । ମାଆ କହେ - ସ୍ବାର୍ଥରେ ଲୋକ ମାଗଣାରେ କିଛି ଦିଅନ୍ତି । ତେଣୁ ମାଗଣାରେ ଆମେ କାହାଠୁ କିଛି ନେଉନା । ଆର ଜଣକ ଆଖି ତରାଟି ଚାହିଁ ରହିଲେ । ଘର ଚାଳ କଣା କଣା, ପାଲ, ଜରି ବସ୍ତା ଯାଗା ଯାଗା ଵନ୍ଧାଯାଇଛି । ଚିରା ପୁରୁଣା ବଡ ବଡ ଡ୍ରେସ୍ ପିନ୍ଧିଛନ୍ତି, କିନ୍ତୁ ଆଦର୍ଶ ସଂସ୍କାର କିଛି କମ୍ ନୁହେଁ । ଏ ଝିଅ ତୋ ନାଁ କ'ଣ ? ରୀତିକା... ସଂକ୍ଷିପ୍ତ ଉତ୍ତର । ତୋ ମା କେତେବେଳେ ଆସିବ ?? ଏଇ ଭିତରେ ଆସିଯିବ, ଵାଵୁଘରେ କାମ କରେ, କାମ ସରିଲେ ଆସିବ ।
ହେଉ, ତୋ ମାଆ ଆସୁ, ଆମେ ଆସିଵୁ । ନା, ନା, ଆସିଵେନି, ମୋ ମାଆ ରାଗିବ, କାହିଁକି ଏତେ ସବୁ ଜିନିଷ ଦେଲ ବୋଲି ଜୋରରେ ପଚାରିବ । ହେଉ, ଆମେ ଉତ୍ତର ଦେବୁ । ଏତେ ସୁନ୍ଦର କଥା କହୁଥିବା ଝିଅର ମାଆକୁ ଟିକେ ଦେଖିବୁ ।
ମାଆ ପଛେ ପଛେ ସେ ଦୁଇ ଜଣ ଆସି ପହଞ୍ଚିଲେ । ରୀତିକା ଏପର୍ଯ୍ୟନ୍ତ ମାଆକୁ କିଛି କହି ପାରି ନ ଥିଲା । ରୀତିକା ଡରି ଯାଇଥିଲା ସେ ଦୁଇ ଜଣ ଲୋକଙ୍କୁ ଦେଖି । କାହିଁକି କାଲି ସେଠିକୁ ଜରି ପାଇଁ ଯାଉଥିଲି ବୋଲି ନିଜକୁ ରାଗୁଥିଲା ମନେ ମନେ । ସେମାନେ ନିଜେ ନିଜେ ଅଭ୍ୟାସ କରିଥିଲା ପରି ସବୁକଥା କହିଗଲେ ରୀତିକାର ମାଆକୁ । ହାଁ..ଟା କରି ରୀତିକାର ମାଆ ଶୁଣୁଥିଲେ । ସେ ଦୁଇ ଜଣ ପୁଣି କହିଲେ ଏଇ ରୀତିକା ଆମ ଘରକୁ ସବୁଦିନ ସକାଳୁ ଯାଉ । ଯାହା ଵୋଲହାକ ମୋ ମାଆର କରିବ । ଦଶଟାରେ ସ୍କୁଲ ଯିଵ । ପାଖରେ ସରକାରୀ ବିଦ୍ୟାଳୟ ଥାଇ କାହିଁକି ପାଠ ପଡ଼ିବନି ? ସ୍କୁଲରୁ ଆସିଲେ ଆମ ଘରକୁ ଯିଵ । ଖାଇଵ, ପଢିବ ଆଉ ମୋ ବୁଢ଼ା ବାପାମାଆ ପାଖରେ ଥିବ । ସେ ଯାହା ମାଗିବେ ଦେବ ତାଙ୍କ ହାତ ପାଖକୁ ।
ନାଇଁ ବାବୁ, ଆମେ ଗରୀବ ଛୋଟ ଲୋକ, ପଢ଼ିବା ଲୋଭରେ ମୋ ଦଶ ବର୍ଷର ଝିଅକୁ କାହା ଘରକୁ ମୁଁ ଛାଡିବିନି । ଆଜିକାଲି ଯେଉଁ ଘଟଣା ଘଟୁଛି.....୪/୫ ବର୍ଷର ଝିଅକୁ ଛାଡୁନାହାନ୍ତି, ଆଉ ଇୟେ ତ ୯/୧୦ ବର୍ଷର । ଆମେ ଖଟିଖିଆ ସତ, କିନ୍ତୁ ଆମ ଚରିତ୍ର/ଗୁଣ ନେଇ ହାଟ ନ ବସୁ । ଏଗୁଡିକ ନେଇ ଯାଆନ୍ତୁ, ଆମର କ'ଣ ହେବ । ଆମେ ଶାଗପେଜ ଖାଇ ଶାନ୍ତିରେ ଅଛୁ । ନା, ନା, ସିଏ ଆମ ଘରେ ରହିଲେ ପାଠପଢିବା ସାଙ୍ଗରେ ତା ଟଙ୍କାରେ ତା'ର ଭାଇଭଉଣୀଙ୍କୁ ପଢ଼ାଇ ପାରିବ ଆମ ଘରେ ଝିଅ ଭଳି ରହିବ । ଏ ରୀତିକା... କାଲି ସକାଳୁ ଆମ ଘରକୁ ଯିବୁ । ମୁଁ ଅପେକ୍ଷା କରିଥିବି । ଆମ ଘର ତ ଦେଖିଛୁ । ଯୋଉଠୁ ଜରି ଆଣୁଥିଲୁ... ତାକୁ ଲାଗି ଯେଉଁ ହଳଦିଆ କୋଠାଟା ସେହି ଘର । ତୁ ଡାକିଲେ ମୁଁ ଖୋଲିବି । ଦିନକୁ ଖାଇପିଇ ଦୁଇଶହ ଲେଖାଏଁ ଦେବି । ଆମ ଘରୁ ଖାଇବା ପ୍ରାୟ ତୋ ଭାଇଭଉଣୀ ପାଇଁ ବି ଆଣି ପାରିବୁ । ତାଙ୍କ କଥାର ଗାମ୍ଭୀର୍ଯ୍ୟ ଦେଖି ବୋଧହୁଏ ମାଆ କିଛି କହିଲା ନାହିଁ । ରୀତିକା ବି ଚୁପ । ସାନ ଭାଇଭଉଣୀ ଦି'ଟା କିନ୍ତୁ ଖୁସିରେ ନୂଆ ଖେଳନାର ପସରା ମେଲାଇ ବସିଥିଲେ ।
ମାଆ..... ଏତେ ବଡ଼ ଘର ଥାଇ ଏତେ ଟଙ୍କା ସେମାନେ ଅଳିଆଗଦାରେ କାହିଁକି ରଖିଥିଲେ ?? କ'ଣ ତାଙ୍କର ଏତେ ଟଙ୍କା ଯେ ଘରେ ରଖି ଅଳିଆଗଦାରେ ବି ରଖୁଛନ୍ତି ?? ମାଆ କହିଲା - ଛାଡ଼, ବଡ଼ ଘର ବଡ ଗୁମର କଥା, ତୁ ବୁଝି ପାରିବୁନି, ମୁଁ ତ ଠିକ୍ ଭାବରେ ଵୁଝିନି, ତୋତେ ଵୁଝାଇବି କ'ଣ .....ଆମର କାମରେ ମତଲବ, କାଲି ସକାଳୁ ଡାକିଛି, ଯାଇ ଦେଖିବୁ, ଭଲ ଲାଗିଲେ କରିବୁ, ନ ହେଲେ ନାହିଁ.......
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର



0 Comments