ଆମ ମାତୃଭାଷା - କବିତାଞ୍ଜଳି ପଣ୍ଡା



ଆନ୍ତର୍ଜାତିକ ମାତୃଭାଷା ଦିବସ
   ଫେବୃଆରୀ ଏକୋଇଶି,
ପାଳନ କରୁଛୁ ସର୍ବତ୍ର ଆମେ ତ
    ସଭିଏଁ ତ ମିଳିମିଶି।
ସାହିତ୍ୟିକ ମାନେ ବ୍ୟସ୍ତ ରହିଛନ୍ତି
      ପଦ୍ୟ ଗଦ୍ୟ ଲେଖିବାରେ,
ଶିକ୍ଷୟିତ୍ରୀ ଆଉ ଶିକ୍ଷକ ଶିକ୍ଷାର୍ଥୀ
    ବ୍ୟସ୍ତ ପ୍ରତିଯୋଗିତାରେ।
"ଆମ ମାତୃଭାଷା"ଶୀର୍ଷକ ରଖିକି
     ପ୍ରବନ୍ଧ ଲେଖନ୍ତି କିଏ,
କବିତାରେ ଯା'ର ରୁଚି ରହିଅଛି
     କବିତା ଲେଖନ୍ତି ସିଏ।
ଯେଉଁ ମାନଙ୍କର ମାତୃଭାଷା ଯାହା
    ସେହି ଭାଷାକୁ ଗୁରୁତ୍ୱ,
ଦିଅନ୍ତି, ସମସ୍ତେ ରଖିଥାନ୍ତି ନିଜ
     ମାତୃଭାଷା ର ମହତ୍ତ୍ଵ।
ଆମ ମାତୃଭାଷା ଅଟଇ ଓଡ଼ିଆ
    ଆମେ ତ ଓଡ଼ିଶାବାସୀ,
ଓଡ଼ିଆ ଭାଷାର ପ୍ରଚାର ପ୍ରସାର
     କରିବା ହେ ହସିହସି।
ଆମେ ତ ଓଡ଼ିଆ ସବୁଠୁ ବଢ଼ିଆ
    ଆମରି ଭାଷା ମଧୁର,
ନିଜ ମାତୃଭାଷା ବ୍ୟବହାର କରି
  ଆମେ ହେବା ଅଗ୍ରସର।
ହେୟଜ୍ଞାନ କରିବା ନାହିଁ କେବେ ହେଁ
    ଅନ୍ୟ ର ମାତୃଭାଷା କୁ,
ଆମ ପାଇଁ ଆମ ମାତୃଭାଷା ଭଲ
    ସେମିତି ଲାଗେ ସଭିଙ୍କୁ।
ଆଜିର ପିଲାଏ ମାତୃଭାଷା ଭୁଲି
      ବିଦେଶୀ ଭାଷାରେ ମନ,
ବିଦ୍ୟାଳୟେ ପଢୁନାହାନ୍ତି ଓଡ଼ିଆ
     ଭାବନ୍ତି ତାହାକୁ ନ୍ୟୁନ।
ଆନ୍ତର୍ଜାତିକ ଭାଷା ଆମ ଇଂରାଜୀ
     ହିନ୍ଦୀ ଅଟେ ରାଷ୍ଟ୍ରଭାଷା,
ଓଡ଼ିଆ ଆମର ଅଟେ ମାତୃଭାଷା
    ନ ଶିଖିଲେ ଲୋକହସା।
ଓଡ଼ିଶାର ଲୋକ ହୋଇ କି ଓଡ଼ିଆ
   ଶିଖିନି ବୋଲି କହିବେ,
ନିଜ ମାତୃଭାଷା ନିଜେ ନ ଶିଖିଲେ
     କେମିତି ଆଗେ ବଢ଼ିବେ?
ତେଣୁ ଏ ମାତୃଭାଷା ଦିବସେ
     ଆସ କରିବା ଶପଥ,
ସମସ୍ତେ ମାତୃଭାଷା ପଢ଼ିବା
    ରଖିବା ଏହା ମହତ।
ବିଦେଶୀ ସଭ୍ୟତା ଆପଣେଇ କି
   ନିଜକୁ ଭୁଲିବା ନାହିଁ,
ମାତୃଭାଷା ପ୍ରଚାର ପ୍ରସାର
      କରିବା ମନଦେଇ ।
ଓଡ଼ିଶା ରାଜ୍ୟର ଓଡ଼ିଆ ଆମେ
     ଓଡ଼ିଆ ଆମ ଭାଷା,
ଓଡ଼ିଆ ଭାଷାର ଉନ୍ନତି ପାଇଁ
     ରହିଛି ଆମ ଆଶା।
ନ ଭୁଲିବାକୁ ମାତୃଭାଷା କୁ
       ପାଳନ କରୁଛୁ ଆଜି,
ସାହିତ୍ୟ ସେବା ଜୀବନ ବ୍ରତ
      କରିବୁ ସ୍ରଷ୍ଟା ସାଜି।
ଆନ୍ତର୍ଜାତିକ ମାତୃଭାଷା
      ଦିବସ ପାଳୁଛୁ ଆମେ,
ମାତୃଭାଷା କୁ ଭୁଲିବା ନାହିଁ
        ଉଚ୍ଚ ଶିକ୍ଷିତ ନାମେ।
ଯା' ମାତୃଭାଷା ଯେତେ ଦୁର୍ବଳ
      ସିଏ ସେତେ ଅଧମ,
ନ ହୁଏ ସମାଜେ ସେ ଅଗ୍ରଣୀ
     କରି ପାରେନା ଭଲ କାମ।
   
 କବିତାଞ୍ଜଳୀ ପଣ୍ଡା               
ମଥୁରା
                     କଳାହାଣ୍ଡି

Post a Comment

0 Comments